ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ନେତାଜୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂର ଦ୍ବାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଅଡିଟୋରିୟମଂରେ ମହାସମାରୋହରେ ପାଳିତ ହୋଇଯାଇଛି |


ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡ. ଡି.ପି. ଚୌଧୁରୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ | ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ନୂଆଦିଲ୍ଲୀସ୍ଥିତ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର | ଡାକ୍ତର ମହାପାତ୍ର ଅନୁଷ୍ଠାନର ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ଆଗମୀ ଦିନରେ ଏହି ଅନୁଷ୍ଠାନ ରାଜ୍ୟର ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନର ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ କରିଥିଲେ |


ମୁଖ୍ୟ ବକ୍ତାଭାବେ ଯୋଗଦେଇ କିମ୍ସର ମନୋବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟପ୍ରକାଶ ରସେଲ ରାଭନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସମାପ୍ତି ପରେ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |
ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ନେତାଜୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଡ. ବିଜନ କୁମାର ଜେନା |

ସୂଚନାଯୋଗ୍ୟ ନେତାଜୀ ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂ ୨୦୦୯ ମସିହାର ଜାନୁଆରୀ ୨୩ ତାରିଖରେ ଭୁବେନଶ୍ବରରେ ପ୍ରତିଷ୍ଠିତ ହୋଇ ରାଜ୍ୟର ନର୍ସିଂ ସେବାକ୍ଷେତ୍ରରେ ଏକ ପରିଚିତ ନାମ ହୋଇପାରିଛି | ନାରୀ ଶିକ୍ଷାର ବିକାଶ ପ୍ରଗତି ତଥା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ ନେତାଜୀ ସଦାସର୍ବଦା ନାରୀଶକ୍ତିଙ୍କୁ ଜାଗତ୍ର କରୁଥିଲେ | ଠିକ ଅନୁରୂପଭାବେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ତଥା ତାଙ୍କ ନାମରେ ନାମିତ ଏହି ଅନୁଷ୍ଠାନ ୪ଜଣ ଛାତ୍ରଛାତ୍ରୀରୁ ଆରମ୍ଭ ହୋଇଥିବା ବେଳେ ଏବେ ୧୪ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଅଛି | ଏହି ଅନୁଷ୍ଠାନରେ ଏଏନଏମ, ଏଚଏନଏମ, ବିଏସ୍ସି ନର୍ସିଂ, ଏମଏସ୍ ସି ନର୍ସିଂ ଓ ଫାର୍ମାସୀ ଶିକ୍ଷା ତଥା ଟ୍ରେନିଂ ପ୍ରଦାନ କରାଯାଇଥାଏ | ଏହି ଅନୁଷ୍ଠାନ ଭୁବନେଶ୍ବର ଓ କେନ୍ଦ୍ରାପଡ଼ାରେ ପିଲାମାନଙ୍କୁ ତାଲିମ ଓ ଶିକ୍ଷା ପ୍ରଦାନ କରିଆସୁଛି | ଏହି ଅନୁଷ୍ଠାନରୁ ସଫଳତାର ସହ ଶିକ୍ଷା ଓ ତାଲିମ ସମାପ୍ତ କରି ଛାତ୍ରଛାତ୍ରୀମାନେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରିଆସୁଛନ୍ତି |

ଏହି ଅବସରରେ ବିଭିନ୍ନ ବିଭାଗରେ କୃତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ | କଲେଜର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ରଶ୍ମିତା ଜେନା ଏବଂ ଏସ୍ଏନଏ ଉପଦେଷ୍ଟା ପ୍ରାଚୀ ପଲ୍ଲିଶ୍ରୀ ମଞ୍ଚ ପରିଚାଳନା କରିଥିଲେ |


ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନ ସହଯୋଗ କରିଥିଲେ |