Skip to content

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭ ସହ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ। ଗୃହରେ ସରଗରମ ଆଲୋଚନା ଚାଲିଛି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିଧାନସଭାର ଦ୍ୱିତୀୟ ଦିନରେ ଗୃହର ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠି ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ । ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮% ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନୂଆ ଟ୍ୟୁବୱେଲ ଯୋଗାଇବାକୁ ନିର୍ଦେଶ ଦିଆଯାଇଛି। ନୂଆ ଜନଵସତିରେ ଅତିରିକ୍ତ ଟ୍ୟୁବୱେଲ ଲଗାଯିବ। ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ ଟ୍ୟୁବୱେଲ ଲଗାଇବାକୁ ନିର୍ଦେଶ ଦିଆଯାଇଛି ।
ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ଟ୍ୟୁବୱେଲ ଲଗାଯିବ ହେଲେ, ଯେଉଁଠି ଘରୋଇ ଟ୍ୟୁବୱେଲ କି ପାଇପ ଅଛି, ସେଠାରେ ଟ୍ୟୁବୱେଲ ଲଗାଯିବାର କୌଣସି ଯୋଜନା ନାହିଁ। ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।
ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଆସନ୍ତାକାଲି ଏହା ଉପରେ ଗୃହରେ ଆଲୋଚନା ହେବ। ଆସନ୍ତା ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟ ବଜେଟ୍ ଓ କାମଚଳା ବଜେଟ୍ ଗୃହରେ ଉପସ୍ଥାପନ କରିବେ। ସ୍ୱଳ୍ପ ଦିନର ବଜେଟ୍ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଜବାବ ଦେବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ରହିଛି। ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି।