
ଏହି ଦୁଇ ହାର୍ଡକୋର ନକ୍ସଲ ହେଉଛନ୍ତି- ମନୀଷା ଥାଟି (୨୧) ଓ ଚମ୍ପା କୋରାମ ଓରଫ ସଜନ୍ତୀ (୨୨)। ଦୁହେଁ ଛତିଶଗଡ଼ର ହୋଇଥିବା ବେଳେ ନକ୍ସଲଙ୍କ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (KKBN) ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ।
ମନୀଷା ଓ ଚମ୍ପା ୨୦୧୮ରୁ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଅନେକ ହିଂସା କାଣ୍ଡରେ ଏହି ଦୁଇ ଜଣ ସମ୍ପୃକ୍ତ ଥିଲେ।
ଆଜି ଆତ୍ମସମର୍ପଣ କରିବା ପରେ ମନୀଷା ଓ ଚମ୍ପା କହିଛନ୍ତି ଯେ ନକ୍ସଲ ସଙ୍ଗଠନର ଅନୈତିକ କାର୍ଯ୍ୟକଳାପରେ ବିବ୍ରତ ଓ ନିରାଶ ହୋଇ ସେମାନେ ସେଠାରୁ ବାହାରିବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ କହିଛନ୍ତି, ନକ୍ସଲ ସଂଗଠନରେ ମହିଳା କ୍ୟାଡରଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଯୁବକ, ଯୁବତୀ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସଙ୍ଗଠନରେ ସାମିଲ କରାଯାଉଛି। ସଙ୍ଗଠନର ବରିଷ୍ଠ ସଦସ୍ୟମାନେ କନିଷ୍ଠ ମାନଙ୍କୁ ଦୁର୍ବ୍ୟହାର କରୁଛନ୍ତି। ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରାଯାଉଛି।
ମନୀଷା ଓ ଚମ୍ପାଙ୍କ ଠାରୁ ପୁଲିସକୁ ମିଳିଥବା ସୂଚନା ଅନୁଯାୟୀ ଗତ ଦୁଇ ମାସ ମଧ୍ୟରେ ସେମାନଙ୍କ କ୍ୟାମ୍ପରୁ ୧୦ରୁ୧୨ କ୍ୟାଡର ଫେରାର ହୋଇଯାଇଛନ୍ତି। ସେମାନେ ସମସ୍ତେ ଛତିଶଗଡ଼ର।
ମନୀଷା ଓ ଚମ୍ପାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ସ୍ୱାଗତ କରିବା ଅବସରରେ ଆଇଜି ଜୟନାରାୟଣ ପଙ୍କଜ ଅନ୍ୟ ନକ୍ସଲଙ୍କୁ ଏହି ପଥ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି।