
ବୀରମିତ୍ରପୁରରେ ଅୟୋଜିତ ସଭାରେ ରାହୁଲ ଗାନ୍ଧି କହିଥିଲେ, ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ବାହାରିଛି ଏହି ଯାତ୍ରା। ଆଗାମୀ ୩ ଦିନ ଯାଏଁ ମୁଁ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି।
ଏହି ସଭାରେ ସେ ବେକାରୀ, ଦରଦାମ ବୃଦ୍ଧି, ସରକାରୀ କମ୍ପାନୀ ଗୁଡ଼ିକର ଘରୋଇ କରଣ ଓ ସାମାଜିକ ଅନ୍ୟାୟ କଥା ଉଠାଇ ଥିଲେ।
ରାହୁଲ ଆଜି ରାତିରେ ବିଜାବାହାଲରେ ରହିବେ। ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ରାଉରକେଲା ଉଦିତନଗର (ଏସପି ଅଫିସ) ଠାରୁ ଯାତ୍ରା ଆରମ୍ଭ କରିବେ। ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍ବୋଧନ ଦେବେ । ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧି ରାତ୍ରି ରହଣୀ କରିବେ ।
୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧି ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କିମି ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଂଚିବ । ସେଠାରୁ ୭କିମି ଦୂର କୁରେଇମାଳଠାରେ ମଧ୍ୟାହ୍ନଭୋଜନ କରିବେ । ପୁଣି ଅପରାହ୍ଣ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ୧୮କିମି ଦୂର ଝାରସୁଗୁଡ଼ାର କନକତୋରା ଠାରେ ପହଂଚିବ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଂଚିବା ପରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କୁ ପତାକା ହସ୍ତାନ୍ତର କରାଯିବ।