
ମଙ୍ଗଳବାର ପ୍ରଶ୍ନକାଳ ସ୍ୱାଭାବିକ ଚାଲିଥିଲା। ଏହି ସମୟରେ ବେସାମରିକ ବିମାନ ଚଳାଚଳ ଉପରେ ଥିବା ଗୋଟିଏ ପ୍ରଶ୍ନକୁ ସରକାର ଅଣଦେଖା କରି ଦେଇଥିଲେ। ଏହାକୁ ଶ୍ରୀମତୀ ବଚ୍ଚନ, କଂଗ୍ରେସର ଦୀପିନ୍ଦର ସିଂହ ହୁଡ୍ଡା ଓ ଅନ୍ୟ ବିରୋଧୀ ଦଳର ନେତାମାନେ ବିରୋଧ କରିଥିଲେ। ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କୁ ଏମିତି କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ।
ଏହାକୁ ନେଇ ହୋହାଲ୍ଲା ହୋଇଥିଲା। ଏସବୁ ଭିତରେ ଅଧ୍ୟକ୍ଷ ଧନକର ଆସିବା ସହ ବିରୋଧୀଙ୍କୁ ନିଜ ନିଜ ଆସନରେ ବସିବାକୁ କହିଥିଲେ। ପ୍ରଶ୍ନ ପୁଣି ବିଚାରକୁ ନିଆଯିବ ବୋଲି ମଧ୍ୟ ଧନକର କଥା ଦେଇଥିଲେ।
ତଥାପି ହୁଡ୍ଡା ବିରୋଧ କରିବାକୁ ଧନକର କହିଥିଲେ ଯେ “ଆପଣ ତାଙ୍କର(ଶ୍ରୀମତୀ ବଚ୍ଚନ)ଙ୍କ ମୁଖପାତ୍ର ନୁହନ୍ତି। ସେ ନିଜେ ଜଣେ ବରିଷ୍ଠ ସଦସ୍ୟ। ନା, ଆପଣ ତାଙ୍କୁ ସମର୍ଥନ କରନ୍ତୁ ନାହିଁ, ସେ ଜଣେ ଅଭିଜ୍ଞ ସଦସ୍ୟ।”
ତାତି ବଢ଼ୁଥିବାରୁ ଧନକର ଗୃହକୁ ସ୍ୱାଭାବିକ କରିବାକୁ ଚାହିଁଥିଲେ। ସେ କହିଥିଲେ ଯେ “ଖସି ଯାଇଥିବା ୧୮ ନମ୍ବର ପ୍ରଶ୍ନ ପୁଣି ଗୃହରେ ଉଠିବ। କିନ୍ତୁ ୧୯ ନମ୍ବର ପ୍ରଶ୍ନର ଉତ୍ତର ପରେ ସବୁ କିଛି ହେବ। ଠିକ ଭାବେ ଓ ନିୟମ ଭିତରେ ସବୁ କିଛି କରାଯିବ। ଜୟା ବଚ୍ଚନ ଜଣେ ବରିଷ୍ଠ ସଦସ୍ୟ। ଯଦି ସେ ପ୍ରଶ୍ନ କରିଛନ୍ତି, ତା’ହେଲେ ତାକୁ ମୁଁ ନିଶ୍ଚିତ ଗୁରୁତ୍ୱର ସହ ନେବି।”
ଜୟା ବଚ୍ଚନ କିଛି କହିବାକୁ ଚେଷ୍ଟା କରୁଥିବା ବେଳେ ଅଧ୍ୟକ୍ଷ ଧନକର ତାଙ୍କୁ ଅଟକାଇ ଥିଲେ। ସେ କହିଥିଲେ, “ମୁଁ ଜୟା ବଚ୍ଚନଜୀ, ଜୟା ଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣ ଜଣେ ବରିଷ୍ଠ ସଦସ୍ୟ। ଆପଣ କହୁଥିବା କଥାର ମୂଲ୍ୟ ଯଥେଷ୍ଟ ଅଧିକ। ଆମେ ଆପଣଙ୍କୁ ସମର୍ଥନ କରୁଛୁ। ମୁଁ ନିଶ୍ଚିତ ଯେ ଆପଣଙ୍କ ଭଳି ଜଣେ ବଡ଼ କଳାକାର ମଧ୍ୟ ଅନେକ ଥର ରି-ଟିକେ ନେଇଥିବେ।”
ଜୟା ବଚ୍ଚନ ଏହା ପରେ କହିଥିଲେ ଯେ “ଯଦି ଆପଣ କିମ୍ବା ଉପାଧ୍ୟକ୍ଷ ଆମକୁ ବସିବାକୁ କହିଥାଆନ୍ତେ, ଆମେ ବସି ଥାଆନ୍ତୁ। କିନ୍ତୁ ଆମେ କେବେ ଆଉ କାହାର ଇଙ୍ଗିତକୁ ମାନିବୁ ନାହିଁ। ପ୍ରଶ୍ନ କରିବା ଆମର ଅଧିକାର।
ଆପଣ ଆମକୁ କୁହୁନ୍ତୁ ଯେ ଆପଣ ପ୍ରଶ୍ନ ନେଇ ପାରିବେ ନାହିଁ କିମ୍ବା କିଛି ସମସ୍ୟା ଅଛି କିମ୍ବା ପଛରେ ପ୍ରଶ୍ନର ଉତ୍ତର ମିଳିବ। ଆମେ ବୁଝି ପାରିବୁ। ଆମେ ସ୍କୁଲ ପିଲା ନୁହେଁ। କିନ୍ତୁ ଆମକୁ ସମ୍ମାନର ସହ ବ୍ୟବହାର ମିଳୁ।”