
ସରକାର ଦାବି ଗ୍ରହଣ କରିବା ପରେ ଜରାଙ୍ଗେ କହିଛନ୍ତି, ଆମେ 4 ମାସ ଧରି ମରାଠା ସଂରକ୍ଷଣ ପାଇଁ ଲଢେଇ କରୁଥିଲୁ। ଏହି ସଂରକ୍ଷଣ ପାଇଁ ପ୍ରାୟ 350 ଜଣ ଯୁବକ ଆତ୍ମହତ୍ୟା କରିସାରିଛନ୍ତି। ଶେଷରେ ଆଜି ସେମାନଙ୍କ ସ୍ୱପ୍ନ ସାକାର ହୋଇଛି। ବର୍ତ୍ତମାନ ସଂରକ୍ଷଣ କାର୍ଯ୍ୟକାରୀ କରିବାର ଦାୟିତ୍ୱ ସରକାରଙ୍କର। ଯଦି ମୋତେ ଏଥର ପ୍ରତାରିତ କରାଯାଏ, ମୁଁ ମୁମ୍ବାଇର ଆଜାଦ ମଇଦାନକୁ ଓହ୍ଲାଇବି।
ସୂଚନା ଅନୁସାରେ, ଗତକାଲି ଜରାଙ୍ଗେ ସିନ୍ଦେ ସରକାରଙ୍କୁ ଏକ ଅଲ୍ଟିମାଟମ୍ ଦେଇଥିଲେ। ସେ କହିଥିଲେ- ଯଦି ଶନିବାର ସକାଳ 11ଟା ସୁଦ୍ଧା ସଂରକ୍ଷଣ ନିୟମ ଜାରି କରାନଯିବ, ତେବେ ସେ 12ଟାରେ ମୁମ୍ବାଇର ଆଜାଦ ମଇଦାନରେ ପହଞ୍ଚି ବିକ୍ଷୋଭ କରିବେ। ଏହା ପରେ ସିନ୍ଦେ ସରକାର ଗତକାଲି ବିଳମ୍ବିତ ରାତିରେ ହିଁ ଜାରଙ୍ଗେଙ୍କ ନିକଟକୁ ଅଧ୍ୟାଦେଶର ଏକ ଡ୍ରାଫ୍ଟ ପଠାଇଥିଲେ। ଏଥିରେ ଜରାଙ୍ଗେଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଦାବି ଗ୍ରହଣ କରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା।
ସରକାର ସମସ୍ତ ଦାବିକୁ ଲିଖିତ ଆକାରରେ ଗ୍ରହଣ କରିବା ପରେ ଅନ୍ଦୋଳନ ପ୍ରତ୍ୟାହାର କରାଗଲା ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ଉଚିତ୍ ପଦକ୍ଷେପ ନେଇଛନ୍ତି, ଆମ ଆବେଦନ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବିକ୍ଷୋଭ ଶେଷ ହୋଇଛି ବୋଲି ଜରାଙ୍ଗେ କହିଥିଲେ। ଏହି ସମୟରେ ସିନ୍ଦେ ଏବଂ ଜରାଙ୍ଗେ ଫୋନ କଲ୍ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ।
ଶେଷରେ ଆଜି ସକାଳେ ଆନ୍ଦୋଳନକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ। ଏଥିସହ ଆନ୍ଦୋଳନର ନେତା ଜରାଙ୍ଗେଙ୍କୁ ସରବତ ପିଆଇ ଆନ୍ଦୋଳନ ପ୍ରତ୍ୟାହୃତ କରାଇଛନ୍ତି।
ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଶିକ୍ଷା ତଥା ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ଏହି ଦାବି କରିଥିଲେ ମନୋଜ ଜରାଙ୍ଗେ ପାଟିଲ। ଦୀର୍ଘ ଦିନ ଧରି କରାଯାଉଥିବା ଦାବିକୁ ସରକାର ନ ଶୁଣିବାରୁ ଶେଷରେ ଜାନୁଆରୀ 20ରେ ଅନଶନକୁ ଓହ୍ଲାଇଥିଲେ ହଜାର ହଜାର କର୍ମୀ। ଜରାଙ୍ଗେଙ୍କ ସମେତ ହଜାର ହଜାର ଆନ୍ଦୋଳନକାରୀ ଆନ୍ଦୋଳନରେ ବସିଥିଲେ। ଜରାଙ୍ଗେ ଦୀର୍ଘ ସାତ ଦିନ ଧରି ଅନ୍ନ-ଜଳ ମଧ୍ୟ ସ୍ପର୍ଶ କରିନଥିଲେ। ଶେଷରେ ସିନ୍ଦେ ସରକାର ତାଙ୍କ ଦାବିକୁ ପୂରଣ କରିଛନ୍ତି।
ଜରାଙ୍ଗେ କରିଥିବା ଦାବି ଅନୁସାରେ, ମାହାରାଷ୍ଟ୍ରରେ ଥିବା ସମସ୍ତ ଓବିସି ଶ୍ରେଣୀର ବ୍ୟକ୍ତିଙ୍କୁ କୁନବି ପ୍ରମାଣପତ୍ର ମିଳିବ। ଏଥିସହ କିଣ୍ଡରଗାର୍ଡେନଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ସରକାରୀ ଚାକିରି ନିଯୁକ୍ତିରେ ମରାଠାଙ୍କ ପାଇଁ ଆସନ ସଂରକ୍ଷଣ କରିବାକୁ ଦାବି କରାଯାଇଥିଲା।
ମହାରାଷ୍ଟ୍ରରେ କୁନବି (ଓବିସି) ବର୍ଗର ବ୍ୟକ୍ତିଙ୍କୁ ବୁଝାଯାଏ। ବର୍ତ୍ତମାନ ସୁଦ୍ଧା 37 ଲକ୍ଷ ଲୋକଙ୍କୁ ଏହି ପ୍ରମାଣପତ୍ର ଦିଆଯାଇଛି, ଆଗକୁ ଏହି ସଂଖ୍ୟା 50 ଲକ୍ଷରେ ପହଞ୍ଚିବ ବୋଲି ମନୋଜ ଜରାଙ୍ଗେ ପାଟିଲ କହିଛନ୍ତି।