Spread the love

 

ramlala

ଅଯୋଧ୍ୟା: ବିରାଜିଲେ ରାମଲଲା। ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ।

ଶୁଭ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରଧାନମନ୍ତ୍ରୀ ସୁନେଲି ରଙ୍ଗର କୁର୍ତ୍ତା ଧଳା ରଙ୍ଗ ପାଇଜାମା ପିନ୍ଧି ପୂଜାରେ ବସିଥିଲେ। ତାଙ୍କ ହାତରେ କୁଶ ବଟୁ ଥିଲା।। ଚାରିଆଡ଼େ ଜୟ ଶ୍ରୀ ରାମଙ୍କ ଧ୍ୱନିରେ ପ୍ରକମ୍ପିତ ହେଉଛି।

ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା।

ପ୍ରାଣ ପ୍ରତିଷ୍ଠା ସମାରୋହରେ ସେନା ହେଲିକପ୍ଟରଗୁଡିକ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଫୁଲ ବର୍ଷା କରିଥିଲେ। ଅଯୋଧ୍ୟା ମନ୍ଦିରରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାକୁ ନେଇ  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।

ସୂଚନାଯୋଗ୍ୟ, ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସମଗ୍ର ଅଯୋଧ୍ୟା ସହରକୁ ଫୁଲ ଏବଂ ସ୍ୱତନ୍ତ୍ର ଆଲୋକ ମାଳାରେ ସଜାଯାଇଛି। ସହରର ବିଭିନ୍ନ ସ୍ଥାନରେ ଧନୁ ଏବଂ ତୀରର କଟଆଉଟ ଲଗାଯାଇଛି। ଫ୍ଲାଏ ଓଭରରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ମଧ୍ୟ ପ୍ରଭୁ ରାମଙ୍କ କଳାକୃତି ସହିତ ସଜାଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

 

Leave a Reply

Your email address will not be published. Required fields are marked *