
ପରିକ୍ରମା ମାର୍ଗ କେବଳ ଲୋକଙ୍କ ପ୍ରଦକ୍ଷିଣ ସମସ୍ୟା ଦୂର କରିନାହିଁ। ସୌନ୍ଦର୍ଯ୍ୟର ଅପୂର୍ବ ସମନ୍ବୟ ଦେଖି ମନ ଲାଖିଯାଉଛି। ଅତୀତର ମଠ ମନ୍ଦିର ଓ ଉନ୍ନତୀକରଣ ପରର ମଠ ମନ୍ଦିରକୁ ଚିହ୍ନି ହେଉନାହିଁ। ପାରିପାର୍ଶ୍ବିକ ଅବସ୍ଥା ଓ ଚିତ୍ର ବଦଳିଯାଇଛି। କଳିଙ୍ଗ କଳା ସ୍ଥାପତ୍ୟର ଝଲକ ମଠ ମନ୍ଦିରରେ ଝଟକି ଉଠୁଛି। ତୋରଣ, ମଗର, ଖୁମ୍ବକୁ ଖୋଣ୍ଡଲାଇଟ୍ ପଥରରେ ମଠରେ ଛାପ ଦିଆଯାଇଛି। ନୂଆ ରୂପ ନେଇଥିବା ଜରାଜୀର୍ଣ୍ଣ ମଠର କାରୁକାର୍ଯ୍ୟ ଆଗରେ ଫଟୋ ଉଠାଇବାକୁ ଭିଡ଼ ଜମୁଛି। ଏମାର ମଠ, ନୃସିଂହ ଆଚାରୀ ମଠ, ଦକ୍ଷିଣପାର୍ଶ୍ବ ମଠ, ଉତ୍ତରପାର୍ଶ୍ବ ମଠ, ପଞ୍ଜାବୀ ମଠ, ଶଙ୍ଖଚକ୍ର ମଠ, ତ୍ରିମାଳି ମଠ, କଟକୀ ମଠ, ରେବେସା ମଠ, ଛାଉଣି ମଠ, ରାମଦୟା ପରିଷଦ, କୌଶଲ୍ୟା ଦାସ ମଠ, ମଙ୍ଗୁ ମଠ, ଲଙ୍ଗୁଳି ମଠ, ବଡ଼ଛତା ମଠ, ବଡ଼ଆଖଡ଼ା ମଠ, କାକୁଡ଼ିଖାଇର ନୂଆ ରୂପ ସଂଦର୍ଶନ କରିଛନ୍ତି ଭକ୍ତ। ସେହିଭଳି ପ୍ରଦକ୍ଷିଣ ମାର୍ଗରେ ବୁଢ଼ୀ ମା ମନ୍ଦିର, ଦୁର୍ଗାମାଧବ ମନ୍ଦିର, ମହାବୀର ମନ୍ଦିର, ଉଗ୍ରତାରା ମନ୍ଦିର, କପାଳମୋଚନ ମନ୍ଦିର ଓ ଭଗବତୀଙ୍କ ମନ୍ଦିରରେ ସ୍ବଚ୍ଛନ୍ଦ ଦର୍ଶନ ପାଇଛନ୍ତି ଶ୍ରଦ୍ଧାଳୁ। କେବଳ ସୌନ୍ଦର୍ଯ୍ୟ ନୁହେଁ, ଭକ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଦକ୍ଷିଣ-ପଶ୍ଚିମ-ଉତ୍ତର ପାର୍ଶ୍ବରେ ଗୋଟିଏ ଲେଖାଏଁ ମହିଳା ଶୌଚାଳୟ, ପୁରୁଷ ଶୌଚାଳୟ ଓ ସେବାୟତ ଶୌଚାଳୟ ଭଳି ୯ଟି ଶୌଚାଳୟ ସୁବିଧା ରହିଛି। ଏହାବ୍ୟତୀତ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୩ଟି ଆଶ୍ରୟସ୍ଥଳୀରେ ଲୋକେ ବିଶ୍ରାମର ଅବସର ନେଇଛନ୍ତି। ତିନି ଦ୍ବାର ପାର୍ଶ୍ବରେ ୩ଟି କ୍ଲକ୍ ରୁମ୍ ତଥା ଜମାଘର ସହ ଜୋତା ଷ୍ଟାଣ୍ଡ ରହିଥିବାରୁ ଭକ୍ତ ଏହା ମଧ୍ୟରେ ନିଜର ଜିନିଷ ରଖି ନିର୍ଦ୍ବନ୍ଦ୍ବରେ ବୁଲାବୁଲି କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୨ଟି ଲେଖାଏଁ ମୋଟ୍ ୪ଟି ଭଜନ ମଣ୍ଡପ ସହ ଆଉ ୧୦ଟି ମୁକ୍ତାକାଶ ମଞ୍ଚରେ ବସି ଫଟୋ ଉଠାଇବାକୁ ଭିଡ଼ ଜମିଛି।
ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତଙ୍କ ମହଲରେ ଏହାକୁ ଦେଖିବାକୁ ଉତ୍କଣ୍ଠା ବଢ଼ିଛି। ଲୋକାର୍ପଣ ପରେ ଶ୍ରୀକ୍ଷେତ୍ରମୁହାଁ ହୋଇଛନ୍ତି ଭକ୍ତ। ଦିନରେ ସେତେ ଭକ୍ତ ନ ଥିଲେ ବି ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରଦକ୍ଷିଣ କରିଛନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଛି। ସନ୍ଧ୍ୟାରେ ସିଂହଦ୍ବାର ଓ ଅନ୍ୟାନ୍ୟ ଦ୍ବାରରେ ଭକ୍ତଙ୍କ ଭିଡ଼ ବଢ଼ିଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଲୋକାରଣ୍ୟ ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍କଣ୍ଠାର ସହ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି। ସେପଟେ ଶ୍ରୀଦାଣ୍ଡ ଓ ଶ୍ରୀସେତୁ ବିକାଶ ଦେଖି ପ୍ରଶଂସା କରିଛନ୍ତି। ଶ୍ରୀଦାଣ୍ଡର ଆଲୋକୀକରଣ ଓ ସୌନ୍ଦର୍ଯ୍ୟୀକରଣ ସାଙ୍ଗକୁ ଆଧ୍ୟାତ୍ମିକ ପରିପାଟ୍ଟୀ ଦେଖି ଆନନ୍ଦ ବ୍ୟକ୍ତ କରିଛନ୍ତି। ସପରିବାର ବୁଲିବା ସହ ସାକ୍ଷୀ ଭାବେ ଫଟୋ ଉଠାଇଛନ୍ତି।