
ଦୁର୍ଘଟଣା ବେଳେ ଗାଡ଼ିରେ ମେହବୁବା ମୁଫତି, ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଓ ଡ୍ରାଇଭର ଥିଲେ। ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ମେହବୁବା ମୁଫ୍ତି ଖାନାବାଲ ଯାଇଥିଲେ। ସେଠାରେ ଅଗ୍ନିକାଣ୍ଡ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିଥିଲେ। ସେଠାରେ ସେ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନନ୍ତନାଗ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ସଙ୍ଗମରେ ଏକ କାର ସହିତ ତାଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଛି।
ଏହି ଦୁର୍ଘଟଣା ଖବର ପାଇବା ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମେହବୁବା ମୁଫତି ଆହତ ହୋଇ ନଥିବା ଶୁଣି ଖୁସି ଲାଗିଲା। ତା’ ସହିତ ସେ କହିଛନ୍ତି, କେଉଁ ପରିସ୍ଥିତିରେ ତାଙ୍କ (ମେହବୁବା ମୁଫ୍ତିଙ୍କ) ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ତଦନ୍ତ ସରକାର କରିବେ ବୋଲି ମୁଁ ଆଶା କରୁଛି। ଯଦି ସୁରକ୍ଷା ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ହୋଇଛି, ତା’ହେଲେ ତୁରନ୍ତ ତା’ର ପ୍ରତିକାର କରିବାକୁ ବ୍ୟବସ୍ଥା କରାଯାଉ।