Spread the love

 

dog-eats-4k-today-sk-240104-68d7a8

ନୂଆଦିଲ୍ଲୀ: ଆମେରିକୀୟ ପ୍ରଦେଶ ପେନ୍‌ସିଲ୍‌ଭେନିଆରେ ଗୋଟାଏ ପୋଷା କୁକୁର ନଗଦ ୪,୦୦୦ ଡଲାର୍‌ (ଭାରତୀୟ ମୁଦ୍ରାରେ ୩.୨ ଲକ୍ଷ ଟଙ୍କା) ଚୋବାଇ ପକାଇବାରୁ ତା’ର ମାଲିକଙ୍କୁ ହୃଦ୍‌ଘାତ ହେବା ପରି ଲାଗିଥିବା କଥା ‘ବିବିସି’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, କୌଣସି କାର୍ଯ୍ୟ ନିମନ୍ତେ ଗତମାସରେ ତା’ର ମାଲିକ ଗୋଟାଏ ଲଫାପାରେ ଭର୍ତ୍ତି କରି ରଖିଥିବା ଉକ୍ତ ନଗଦ ଟଙ୍କାକୁ ‘ଗୋଲ୍‌ଡେନ୍‌ଡୁଡଲ୍‌’ ପ୍ରଜାତିର ୭ ବର୍ଷିୟ କୁକୁର ସିସିଲି ଚୋବାଇ ପକାଇଥିଲା।

କୁକୁର ଚୋବାଇ ପକାଇଥିବା ଟଙ୍କାରୁ ଅଧିକାଂଶ ଟଙ୍କା ଉଦ୍ଧାର କରାଯାଥିବା ବେଳେ ୪୫୦ ଡଲାର୍‌ ମିଳୁ ନ ଥିବା କଥା ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ କହିଛନ୍ତି। ସେମାନେ କୁକୁରକୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲେ କିନ୍ତୁ, କୁକୁର ସୁସ୍ଥ ଥିବା କଥା ଚିକିତ୍ସକ କହିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ପାଚେରି ଉଠାଇବା ପାଇଁ ଜଣେ ଠିକାଦାରଙ୍କୁ ଦେବା ଲାଗି ସେମାନେ ଏତେ ପରିମାଣର ଅର୍ଥ ଉଠାଇଥିଲେ। ଲଫାପାରେ ଭର୍ତ୍ତି କରି ଟଙ୍କା ରଖିବାର ଅଧ ଘଣ୍ଟାଏ ପରେ ସେମାନେ ଦେଖିଲେ ତାଙ୍କ ପ୍ରିୟ କୁକୁର ଟଙ୍କା ଚୋବାଇ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି।

କେରି ଲ’ କହିଛନ୍ତି, ହଠାତ୍‌ କ୍ଲେଟନ୍‌ ଚିତ୍କାର କରି ମତେ କହିଲା, ସିସିଲି ୪୦୦୦ ଡଲାର୍‌ ଖାଉଛି। ଏ କଥା ଶୁଣି ମୋର ହୃଦ୍‌ଘାତ ହୋଇଯିବା ପରି ମନେହେଲା।

ସେ ଆହୁରି ମଧ୍ୟ କହିଛନ୍ତି, ସିସିଲି ବଡ଼ ସୁଧାର, କିନ୍ତୁ ତା’ର ଏଭଳି କାର୍ଯ୍ୟ ଆମକୁ ଖୁବ୍‌ ବ୍ୟଥା ଦେଇଛି।

ଏହାପରେ ସ୍ବାମୀସ୍ତ୍ରୀ ବ୍ୟାଙ୍କ୍‌ରେ ପହଞ୍ଚି ଘଟଣା ସମ୍ପର୍କରେ କହିଲେ। ବ୍ୟାକ୍‌ କର୍ତ୍ତୃପକ୍ଷ କହିଲେ ଯେ, ଏଭଳି ଘଟଣା ବରାବର ଘଟିଥାଏ। ଟଙ୍କାର କ୍ରମିକ ସଂଖ୍ୟା ବା ସିରିଏଲ୍‌ ନମ୍ବର ଦିଶୁଥିଲେ ବ୍ୟାଙ୍କ୍‌ ତାହାକୁ ଫେରାଇ ନେବ।

 

Leave a Reply

Your email address will not be published. Required fields are marked *