
ଗୋଟିଏ ଜାତୀୟ ଗଣମାଧ୍ୟମକୁ ଫାରୁକ ଅବଦୁଲ୍ଲା କହିଛନ୍ତି, “ଅଯୋଧ୍ୟା ରାମ ମନ୍ଦିର ଉଦଘାଟିତ ହେବାକୁ ଯାଉଛି। ମୁଁ ମନ୍ଦିର ତିଆରି ପାଇଁ ପରିଶ୍ରମ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ବର୍ତ୍ତମାନ ମନ୍ଦିର ପୂରା ପ୍ରସ୍ତୁତ।
ମୁଁ ପୂରା ଦେଶକୁ କହିବାକୁ ଚାହେଁ ଯେ ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି। ଭଗବାନ ରାମ ବିଶ୍ୱରେ ଥିବା ସବୁ ଲୋକଙ୍କର। ସେ ବିଶ୍ୱର ସବୁ ପ୍ରାନ୍ତରେ ରହୁଥିବା ଲୋକଙ୍କ ଭଗବାନ। ଏକଥା ବହିରେ ମଧ୍ୟ ଲେଖା ହୋଇଛି।”
ଭଗବାନ ରାମ ଭାଇଚାର, ପ୍ରେମ, ଏକତା ଓ ପରସ୍ପରକୁ ସାହାଯ୍ୟ କରିବା ଭଳି ବାର୍ତ୍ତା ଦେଇଥିଲେ ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି, ”ଭଗବାନ ରାମ ସବୁବେଳେ ଭାଇଚାରା, ପ୍ରେମ, ଏକତା ଓ ପରଉପକାରୀ ହେବାର ବାର୍ତ୍ତା ଦେଉଥିଲେ। ସେ ସବୁବେଳେ ତଳକୁ ଖସି ପଡ଼ୁଥିବା ଲୋକଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିଲେ।
ସେମାନଙ୍କ ଧର୍ମ ଓ ଜାତି କିଛି ବି ସେ ଦେଖୁ ନଥିଲେ। ସେ ସମସ୍ତଙ୍କ ପାଇଁ ଗୋଟିଏ ବାର୍ତ୍ତା ଦେଉଥିଲେ। ଏବେ ମନ୍ଦିର ଉଦଘାଟିତ ହେବାକୁ ଯାଉଛି। ତେଣୁ ମୁଁ ଦେଶର ଲୋକଙ୍କୁ କହିବାକୁ ଚାହୁଁଛି ଯେ ଭାଇଚାରକୁ ସମସ୍ତେ ବୃଦ୍ଧି କରନ୍ତୁ। ଆମ ଦେଶରେ ଭାଇଚାରା ଏବେ ହ୍ରାସ ପାଉଛି। ମୁଁ ସମସ୍ତଙ୍କୁ ଭାଇଚାରା ଜାରି ରଖିବାକୁ ଅନୁରୋଧ କରୁଛି।”
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ୨୨ ତାରିଖରେ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ। ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମଧ୍ୟ କାର୍ଯ୍ୟକ୍ରମ ପାଇଁ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରିଛି।