ବାରାଣସୀ : ଅଯୋଧ୍ୟାର ରାମ ମନ୍ଦିରରୁ ଦାନ ଅର୍ଥ ଏବଂ ସୁନା-ରୂପା ଆଭୂଷଣ ଚୋରି ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏକେ ବାରାଣସୀ କାଶୀ ବିଶ୍ବନାଥ ମନ୍ଦିରରେ ସୁନା ଚୋରି ମାମଲା ସାମ୍ନାକୁ ଆସିଛି । ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରର ସ୍ୱର୍ଣ୍ଣ ଶିଖରରୁ ସୁନା ଚୋରି ହେବା ଅଭିଯୋଗ ଆସିଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଆସିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ମନ୍ଦିର ପ୍ରଶାସନ ମଧ୍ୟ ଅନ୍ତରୀଣ ତଦନ୍ତ ଆରମ୍ଭ କରିଛି ।
ବାରାଣସୀର ତେଲିଆବାଗ ଅଞ୍ଚଳର ବାସିନ୍ଦା ତଥା ଆଇନଜୀବୀ ନିତ୍ୟାନନ୍ଦ ରାୟ ଗତ ୨୯ ସେପ୍ଟେମ୍ବରରେ ମଣ୍ଡଳାୟୁକ୍ତଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଏହି ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, କାଶୀ ବିଶ୍ୱନାଥ ମନ୍ଦିରର ଉତ୍ତର ଦ୍ୱାର ଠିକ୍ ଉପରେ ଥିବା ଦୁଇଟି ସ୍ଥାନରୁ ସୁନା କଳସ ଗାଏବ ହୋଇଛି । ଏନେଇ ମନ୍ଦିର ପ୍ରଶାସନକୁ ସୂଚନା ମଗାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ମନ୍ଦିରର ଅଧିକାରିକ ୱେବସାଇଟ୍ରେ ମଧ୍ୟ ସୁନା ହଟାଯିବା ସମ୍ପର୍କରେ କୌଣସି ସୂଚନା ନଥିବା ସେ ଦର୍ଶାଇଛନ୍ତି ।
ପୂର୍ବରୁ ମନ୍ଦିରରୁ ସୁନା-ରୁପା ଚୋରି ହେବା ଘଟଣା ସାମ୍ନାକୁ ଆସିଥିବାରୁ ଏଥର ସ୍ୱର୍ଣ୍ଣ ଶିଖରରୁ ଗାଏବ ହୋଇଥିବା ସୁନାର ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । କାଶୀ ବିଶ୍ୱନାଥ ଧାମରେ ଯେଉଁ ଯେଉଁ ସ୍ଥାନରେ ସୁନା ଓ ରୁପା ବ୍ୟବହାର କରାଯାଇଛି, ସେସବୁର ସମ୍ପୂର୍ଣ୍ଣ ବିବରଣୀ ସହ ଏକ ଶ୍ୱେତପତ୍ର ଜାରି କରିବାକୁ ଆଇନଜୀବୀ ଦାବି କରିଛନ୍ତି । ଏହା ସହ ସମ୍ପୃକ୍ତ ତଥ୍ୟ ମନ୍ଦିରର ଅଫିସିଆଲ ୱେବସାଇଟରେ ମଧ୍ୟ ଉପଲବ୍ଧ କରାଇବାକୁ ସେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ କମିଶନର ଏସ୍. ରାଜଲିଙ୍ଗମ୍ କହିଛନ୍ତି, ଗତ କିଛି ଦିନ ତଳେ ଏକ ସୁନା କଳସ ପଡ଼ିଯାଇଥିଲା । ଏହାକୁ ବିଶ୍ୱନାଥ ଧାମରେ ସୁରକ୍ଷିତ ରଖାଯାଇଛି । ବୈଷୟିକ ଯାଞ୍ଚ ନକରି କଳସକୁ ପୁଣିଥରେ ସ୍ଥାପନ କରିବା ଉଚିତ ହେବ ନାହିଁ ।