
ସୂଚନା ଅନୁସାରେ, ୨୦ ତାରିଖରେ ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ଖଡଗେ,ରାହୁଲ ଗାନ୍ଧି ଓ ଭେନୁଗୋପାଳଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳକୁ ରାଜ୍ୟରେ ସୁଦୃଢ଼ କରିବା ନେଇ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନାବେଳେ ଶାସକ ବିଜେଡି ସହ ରହିଥିବା ସମ୍ପର୍କକୁ ନେଇ ଚେଲାକୁମାରଙ୍କ ମଧ୍ୟ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାହୁଲଙ୍କ ଉପସ୍ଥିତିରେ ଶ୍ରୀ ଖଡଗେ କଡ଼ା ଭାଷାରେ ପ୍ରଶ୍ନ କରୁଥିଲେ ମଧ୍ୟ ରାହୁଲ ନିରବ ରହି ଚେଲାକୁମାର ସମେତ ଓଡ଼ିଶା ନେତାମାନଙ୍କ ଆଭିମୁଖ୍ୟକୁ ଅନୁଧ୍ୟାନ କରୁଥିଲେ ବୋଲି ସୂଚନା ମିଳିଛି । ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ପ୍ରଭାରୀ ପଦରୁ ଚେଲାକୁମାରଙ୍କୁ ହଟାଇ ଜଣେ ନୂଆ ତଥା ଅନୁଭବୀ ଚେହେରା ଭାବେ ଡଃ ଅଜୟ କୁମାରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଖଣି ବ୍ୟବସାୟୀଙ୍କ ସହ ଓଡ଼ିଶା କଂଗ୍ରେସର ସମ୍ପର୍କକୁ ନେଇ ମଧ୍ୟ ଶୀର୍ଷ ନେତୃତ୍ୱ ଅସନ୍ତୋଷ ବ୍ୟକ୍ତ କରିଥିବା ବୈଠକରେ ଉପସ୍ଥିତ ଜଣେ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୨୦୨୦ ମସିହା ସେପ୍ଟେମ୍ବର ୧୧ତାରିଖରେ ଚେଲାକୁମାର ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ନେଇଥିଲେ ମଧ୍ୟ ସଂଗଠନକୁ ସୁଦୃଢ଼ କରିବାରେ ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି। ଏପରିକି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ୨୦୨୨ ମେ’ ୨୩ତାରିଖରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେବାରେ ଚେଲାକୁମାରଙ୍କ ଭୂମିକା ଥିବା ଚର୍ଚ୍ଚା ହୁଏ । ମାତ୍ର ଦଳକୁ ଯେଭଳି ସୁଦୃଢ଼ କରିବାର ଆବଶ୍ୟକତା ରହିଛି ତାହା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ଏପରିକି ଚେଲାକୁମାର ଓଡ଼ିଶା ଦାୟିତ୍ୱରେ ଥିବା ସମୟରେ ରାଜ୍ୟରେ ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ଝାରସୁଗୁଡ଼ା, ଧାମନଗର, ବ୍ରଜରାଜନଗର ଓ ପଦମପୁର ବିଧାନସଭା ଉପନିର୍ବାଚନ ହୋଇଛି । ଆଉ କଂଗ୍ରେସକୁ ଅନେକ ସ୍ଥାନରେ ନିଜର ଅମାନତ ହରାଇବାକୁ ମଧ୍ୟ ପଡ଼ିଛି।
ନିଜର ୩ବର୍ଷର କାର୍ଯ୍ୟକାଳ ଭିତରେ ଚେଲାକୁମାର କୌଣସି ଗୋଟିଏ ବୃହତ୍ ଜନସଭା କିମ୍ବା ଜନ ଆନ୍ଦୋଳନର ନେତୃତ୍ୱ ନେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି। ଯଦିଓ ଦାୟିତ୍ୱ ନେବାବେଳେ ରାଜ୍ୟରୁ ବିଜେଡିକୁ ହଟାଇବା ପାଇଁ ବ୍ୟାପକ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚେଲାକୁମାର ଘୋଷଣା କରିଥିଲେ।