Spread the love

 

8c2177c5-9f61-42c7-96e9-efe8517081e8-750x430

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ହେଲା ଆମେରିକାର ନ୍ୟୁଜର୍ସିରୁ ନିଖୋଜ ହୋଇ ଯା଼ଇଥିବା ୨୯ ବର୍ଷୀୟ ଭାରତୀୟ ଯୁବତୀଙ୍କୁ ଖୋଜି ଖୋଜି ନିରାଶ ହୋଇଛି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ। ଏବେ ଯୁବତୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ଏଫବିଆଇ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଯଦି କେହି ଯୁବତୀଙ୍କ ସମ୍ପର୍କରେ ସୂଚନା ଦେବେ, ତା’ହେଲେ ତାଙ୍କୁ ୧୦ ହଜାର ଡଲାର ଯାଏ ପୁରସ୍କାର ମିଳିବ ବୋଲି ସଂସ୍ଥା କହିଛି।

ମାୟୁଶି ଭଗତଙ୍କୁ ଶେଷଥର ପାଇଁ ନ୍ୟୁ ଜର୍ସି ସହରରେ ଥିବା ତାଙ୍କ ଆପାର୍ଟମେଣ୍ଟ ପାଖରେ ଦେଖିବାକୁ ମିଳିଥିଲା। ୨୦୧୯ ଏପ୍ରିଲ ୨୯ରେ ସେ ରଙ୍ଗବେରଙ୍ଗର ପାଇଜାମା ଓ କଳା ରଙ୍ଗର ଟି-ଶାର୍ଟ ପିନ୍ଧି ଘରୁ ବାହାରିଥିଲେ। ତେବେ ସେ ଦୁଇ ଦିନ ଧରି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକ ୨୦୧୯ ମସିହା ମେ’ ୧ରେ ସେ ନିଖୋଜ ହୋଇଥିବା ନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ସେବେଠାରୁ ବିଭିନ୍ନ ସଂସ୍ଥା ମାୟୁଶିଙ୍କୁ ଖୋଜିବାକୁ ଲାଗିଛନ୍ତି। କିନ୍ତୁ ଏଯାଏ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏବେ ଏଫବିଆଇର ନେୱର୍କ ଫିଲ୍ଡ ଅଫିସ ଓ ଦି ଜର୍ସି ସିଟି ପୁଲିସ ବିଭାଗ ଲୋକଙ୍କ ସହାୟତା ଲୋଡ଼ିଛନ୍ତି। ଯଦି କେହି ମାୟୁଶିଙ୍କ ସମ୍ପର୍କରେ ସୂଚନା ଦେଇ ପାରିବେ କିମ୍ବା ତାଙ୍କ ନିଖୋଜ ସଂକ୍ରାନ୍ତରେ ତଥ୍ୟ ଦେବେ, ତା’ହେଲେ ତାଙ୍କୁ ୧୦ ହଜାର ଡଲାର ଯାଏ ପୁରସ୍କାର ମଳିବ ବୋଲି କୁହାଯାଇଛି।

ଗତବର୍ଷ ଜୁଲାଇ ମାସରେ ଏଫବିଆଇ ମାୟୁଶିଙ୍କୁ ନିଖୋଜ ହୋଇଥିବା ତାଲିକାରେ ସାମିଲ କରିଥିଲା। ୧୯୯୪ ମସିହା ଜୁଲାଇ ମାସରେ ଭାରତରେ ଜନ୍ମ ଗ୍ରହଣ କରିଥିବା ମାୟୁଶି ପାଠପଢ଼ିବା ପାଇଁ ଭିସା ନେଇ ଆମେରିକା ଯାଇଥିଲେ। ସେ ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପଢ଼ୁଥିଲେ।

ଏଫବିଆଇ ପକ୍ଷରୁ କୁହାଯାଇଛି ଯେ ମାୟୁଶି ଇଂଲିଶ, ହିନ୍ଦୀ ଓ ଉର୍ଦ୍ଦ୍ୱୁ ଭାଷା କହିପାରନ୍ତି। ସାଉଥ ପ୍ଲେନଫିଲ୍ଡରେ ମଧ୍ୟ ତାଙ୍କର କିଛି ବନ୍ଧୁ ରହୁଥିଲେ। ଯଦି କେହି ମାୟୁଶିଙ୍କ ସମ୍ପର୍କରେ କିଛି ବି ଜାଣିଛନ୍ତି, ତା’ହେଲେ ଏଫବିଆଇ ନେୱର୍କ କିମ୍ବା ଜର୍ସି ସିଟି ପୁଲିସ୍‌ ବିଭାଗକୁ ଫୋନ କରି ତଥ୍ୟ ଦେଇପାରିବେ। ତାଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ଥିବା ବେଳେ ଚୁଟିର ରଙ୍ଗ କଳା। ସେ ୨୦୧୬ରେ ଆମେରିକାକୁ ଆସିଥିଲେ।

 

Leave a Reply

Your email address will not be published. Required fields are marked *