Spread the love

 

path

ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ରାଜଧାନୀର ରାଜରାସ୍ତାରେ ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ । ଏହି କାର୍ଯ୍ୟକ୍ରମ ପାଇଁ ପୁଣି ଥରେ ସକାଳ ସମୟରେ ଦୁଲୁକି ଉଠିବ ରାଜଧାନୀର ରାଜରାସ୍ତା। ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତୃପକ୍ଷ  । ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଜଧାନୀ ବାସିନ୍ଦା। ନାଚ ଗୀତ ଖେଳ କୁଦରେ ମତୁଆଲ ହୋଇଉଠିବେ ପିଲାଠୁ ବୁଢା ସମସ୍ତେ  ।

ପଥ ଉତ୍ସବରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ୍, ଲୁଡୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟି, ଜୁମ୍ବା ପ୍ରଭୃତି ଆୟୋଜିତ ହେବ। ଗତ ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପଥ ଉତ୍ସବ ପାଳିତ ହେବାକୁ ଯାଉଛି ।  ଗତକାଲି ପଥୋତ୍ସବ  ପାଳିତ ହେବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୪ ତାରିଖ ଅର୍ଥାତ୍ ରବିବାର ଦିନ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି  ।

ଏହି ପଥୋତ୍ସବକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ଅଂଶ ଗ୍ରହଣ କରିବା ପାଇଁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍‌ଏଚ୍‌ଜି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି । ବିଭିନ୍ନ କର୍ପୋରେଟର ନିଜ ଅଂଚଳର ଟ୍ୟାଲେଣ୍ଟଙ୍କ ବାବଦରେ ଜଣାଇ ଯୋଗ୍ୟ ବ୍ୟକ୍ତି କିପରି ସାମିଲ୍ ହେବେ ସେ ବାବଦରେ ସହଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଯୋଗାଯୋଗ କରିବାକୁ କହିଛନ୍ତି ଅତିରିକ୍ତ କମିଶନର । ଏଥିପାଇଁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ନମ୍ବର ବା ଲିଙ୍କ୍ ଜାରି ହେବ ।

 

Leave a Reply

Your email address will not be published. Required fields are marked *