
ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରତିଦିନ ତାଙ୍କ ଘରେ ଚାଷୀ ଭଉଣୀଭାଇମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ।
କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ କୃଷି ବଜେଟ୍ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ, କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି।