
ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରୁ ଏହି ନଦୀର ଉତ୍ପତ୍ତି ହୋଇଛି। ଅନେକ ଛୋଟବଡ଼ ନାଳ ସହ ମିଶି ବହୁ ଗ୍ରାମ ଓ ଜଙ୍ଗଲ ଦେଇ ପ୍ରବାହିତ ହୋଇ ମାଧବରିଡ଼ା ନିକଟ ଆନିକଟରେ ବଡ଼ନଦୀ ସହ ମିଶିଛି। କିଛି ବରିଷ୍ଠ ନାଗରିକଙ୍କ କହିବାନୁସାରେ, ତଟବର୍ତ୍ତୀ ଇଲାକା ଓ ଭଞ୍ଜନଗର ସହର ପ୍ରତି ଏହି ନଦୀର ଅନେକ ଅବଦାନ ରହିଛି। ଏହାର ପାଣିକୁ ଲୋକେ ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଅନେକ ଜମିକୁ ଜଳସେଚନ ହୋଇପାରୁଛି। ବିଶେଷକରି ରମ୍ଭାପଲ୍ଲୀ, ସରପଡ଼ା, ନନ୍ଦିନୀପଲ୍ଲୀ, ଗୁରାବାଡ଼ା, ବାହାଡ଼ାପଦର, ସାନକୋଦଣ୍ଡା, ବଡ଼କୋଦଣ୍ଡା ଓ ରାଜକୁଣ୍ଡ ଭଳି ଅନେକ ଗ୍ରାମର ଜନସାଧାରଣ ଏବଂ ଚାଷୀ ଏହି ନଦୀ ଉପରେ ନିର୍ଭରଶୀଳ। ସେହିପରି ଭଞ୍ଜନଗର ଏନ୍ଏସିର ୯, ୮ ,୭, ୫, ୨ ଓ ୧୫ ନମ୍ବର ୱାର୍ଡବାସିନ୍ଦା ଗାଧୋଇବା ସହ ବିଭିନ୍ନ କାମ ପାଇଁ ଏହି ନଦୀ ଉପରେ ନିର୍ଭର କରୁଥିଲେ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହି ନଦୀର ଚିତ୍ର ସଂପୂର୍ଣ୍ଣ ବଦଳିଯାଇଛି। ବର୍ଷତମାମ ଯେଉଁଠି ପାଣି ଅନବରତ ଭାବେ ବହିଚାଲିଥିଲା ସେହି ସ୍ଥାନ ବୁଦାର ଭ୍ରମ ସୃଷ୍ଟି କରୁଛି। ଦିନଥିଲା, ଏହାର ବାଲୁକାଶଯ୍ୟାରେ ଲୋକେ ଶୋଇ ପଡ଼ୁଥିଲେ। କିନ୍ତୁ ବର୍ତ୍ତମାନ ବାଲି ଦେଖିବାକୁ ମିଳୁନି। ୨୦୧୮ ମସିହାରେ ତିତ୍ଲି ବାତ୍ୟା ପରବର୍ତ୍ତୀ ବର୍ଷାରେ ଏହି ନଦୀରେ ପାଣି ଆସି ସହର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିଲା। ଏବେ ବର୍ଷର କେବଳ ବର୍ଷାଦିନକୁ ବାଦ୍ ଦେଲେ ପ୍ରାୟ ଗୋଟିଏ ଧାରରେ ହିଁ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ନଦୀପଠାରେ ପଡ଼ିଥିବା ଲଟାବୁଦା ପାଣିର ସ୍ରୋତକୁ ବାଧା ଦେଉଛି। ପାଣି ନିଷ୍କାସନ ବି ହୋଇପାରୁନି।
ଅନ୍ୟପକ୍ଷରେ ଲୋହରାଖଣ୍ଡି ନଦୀ ଧୀରେ ଧୀରେ ପ୍ରଦୂଷିତ ହେଉଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବକୁ ମୁଖ୍ୟତଃ ଦାୟୀ କରାଯାଇପାରେ। କାରଣ ସହରର ମୁଖ୍ୟସଡ଼କ ସହ ସଂଯୋଗ ହୋଇଥିବା ସେତୁ ଉପରୁ ଜନସାଧାରଣ ବିଭିନ୍ନ ଅଳିଆଆବର୍ଜନା ଫୋପାଡ଼ୁଛନ୍ତି। ଅନ୍ୟପକ୍ଷରେ କିଛି ଡ୍ରେନ୍ ପାଣି ନଦୀକୁ ଛଡ଼ାଯିବା ପ୍ରଦୂଷଣର ଅନ୍ୟତମ କାରଣ ଭାବେ ଉଭା ହୋଇଛି।