
ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଶ୍ରୀ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ବେରେଜ ଲାଇନ୍ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ ବିଏମ୍ସିର ସବୁ ଘର ଯେପରି ସ୍ବେରେଜ ଲାଇନ୍ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।
ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରରେ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ ଇଡ୍କୋ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମ୍ସି ପକ୍ଷରୁ ନିୟମିତ ଯାଞ୍ଚ କରାଯିବ। ଏଥିସହିତ ମହାନଗରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର ୱାଟ୍କୋ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।