Spread the love

 

Capture-1-750x430

ଚେନ୍ନାଇ/ ନୂଆଦିଲ୍ଲୀ: ତାମିଲନାଡୁର ଦିଣ୍ଡିଗୁଲରେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାଜ୍ୟ ଭିଜିଲାନ୍‌ସ ଓ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଥିଲା।
ଅଙ୍କିତ ତିୱାରୀ ନାମକ ଇଡିର ଏହି ଅଧିକାରୀଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ଗିରଫ କରିବା ପରେ ଡିଣ୍ଡିଗୁଲ ଜିଲ୍ଲା ଭିଜିଲାନ୍‌ସ ଏବଂ ଦୁର୍ନୀତି ନିବାରଣ (ଡିଭିଏସି) ପକ୍ଷରୁ ଇଡିର ମଦୁରାଇ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଅଙ୍କିତ ତିୱାରୀଙ୍କ ବାସଭବନରେ ମଧ୍ୟ ଅଧିକାରୀମାନେ ଚଢ଼ାଉ କରିଥିଲେ।
ଏହି ମାମଲାରେ ମଦୁରାଇ ଏବଂ ଚେନ୍ନାଇର ଅଧିକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି। ଅଙ୍କିତ ତିୱାରୀ ଅନେକ ଲୋକଙ୍କୁ ବ୍ଲାକମେଲ୍‌ କରୁଥିଲେ ଏବଂ ସେମାନଙ୍କଠାରୁ କୋଟି କୋଟି ଟଙ୍କାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ସେ ଇଡିର ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଲାଞ୍ଚ ଅର୍ଥ ବଣ୍ଟନ କରୁଥିଲେ। ଏସଂକ୍ରାନ୍ତରେ ତାଙ୍କ ଠାରୁ କିଛି କାଗଜପତ୍ର ମଧ୍ୟ ଜବତ କରାଯାଇଛି ଏବଂ ଏହି ମାମଲାରେ ମଦୁରାଇ ଏବଂ ଚେନ୍ନାଇ କାର୍ଯ୍ୟାଳୟରେ ଇଡିର ଅଧିକ ଅଧିକାରୀଙ୍କୁ ଗିରଫ କରାଯାଇ ପାରେ ବୋଲି ସୂତ୍ରରୁ ପ୍ରକାଶ।
ରିପୋର୍ଟରୁ ପ୍ରକାଶ, ଅକ୍ଟୋବର ୨୯ ତାରିଖରେ ଅଙ୍କିତ ତିୱାରୀ ଡିଣ୍ଡିଗୁଲର ଜଣେ ସରକାରୀ କର୍ମଚାରୀଙ୍କୁ ଡିଭିଏସିର ଏକ ମାମଲାରେ ଯୋଗାଯୋଗ କରିଥିଲେ। ସେ କର୍ମଚାରୀଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଇଡିକୁ ଏହି ମାମଲାର ତଦନ୍ତ କରିବାକୁ କହିଛି। ଅଙ୍କିତ ତିୱାରୀ ଅଧିକ ତଦନ୍ତ ପାଇଁ କର୍ମଚାରୀଙ୍କୁ ଅକ୍ଟୋବର ୩୦ରେ ମଦୁରାଇସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ କହିଥିଲେ। ଯେଉଁଦିନ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ, ସେହିଦିନ ଇଡି ଅଧିକାରୀ ତଦନ୍ତ ଶେଷ କରିବା ପାଇଁ ତାଙ୍କଠାରୁ ୩ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ପରେ ସେ କର୍ମଚାରୀଙ୍କୁ କହିଥିଲେ ଯେ ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଲାଞ୍ଚକୁ ୫୧ ଲକ୍ଷ ଟଙ୍କାକୁ ହ୍ରାସ କରିବାକୁ ରାଜି ହୋଇଛନ୍ତି।
ନଭେମ୍ବର ପହିଲାରେ ସରକାରୀ କର୍ମଚାରୀ ଇଡି ଅଧିକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପ୍ରଥମ କିସ୍ତି ଦେଇଥିଲେ। ପରେ ଇଡି ଅଧିକାରୀ ତାଙ୍କୁ ପୂରା ଟଙ୍କା ଦେବାକୁ କହିଥିଲେ ଏବଂ କହିଥିଲେ ଯେ ଏହି ରାଶି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ପଡିବ। ଏଥିସହ ଟଙ୍କା ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ କର୍ମଚାରୀଙ୍କୁ ଧମକ ଦେଇଥିଲେ।
ଅଙ୍କିତ ତିୱାରୀଙ୍କ ଦାବି ଉପରେ ସନ୍ଦେହ କରି ସରକାରୀ କର୍ମଚାରୀ ନଭେମ୍ବର ୩୦ରେ ଡିଭିଏସିର ଡିଣ୍ଡିଗୁଲ ୟୁନିଟରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଶୁକ୍ରବାର, ଡିସେମ୍ବର ୧ ତାରିଖରେ ଅଙ୍କିତ ତିୱାରୀ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କାର ଦ୍ୱିତୀୟ କିସ୍ତି ଗ୍ରହଣ କରୁଥିବା ବେଳେ ଧରା ପଡ଼ିଥିଲେ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଙ୍କିତ ଜଣେ ଇଡି ଅଧିକାରୀ ଭାବରେ ତାଙ୍କ କ୍ଷମତାର ଅପବ୍ୟବହାର କରିଥିଲେ ଏବଂ ଡିଭିଏସି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

Leave a Reply

Your email address will not be published. Required fields are marked *