Spread the love

 

 

ଦୀର୍ଘ ୧୭ ଦିନ ହେଲା ଉତ୍ତରାଖଣ୍ଡରର ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଶେଷରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ମୂଷା ଗାତ ଖୋଳାଳି, ଉଦ୍ଧାରକାରୀ ଟିମ ଓ ଦେଶବାସୀଙ୍କ ପ୍ରାର୍ଥନା ଆଗରେ ଜୀବନ ଜିତିଛି। ୪୧ ଶ୍ରମିକ ୧୭ ଦିନ ହେଲା ଟନେଲ ଭିତରେ ଫସି ରହିଥିଲେ ମଧ୍ୟ ଲଢ଼ିବା ବନ୍ଦ କରି ନଥିଲେ।

ସେମାନଙ୍କର ଆଶା ଥିଲେ ଯେ ସମସ୍ତେ ସୁରକ୍ଷିତ ଭାବେ ମୁକୁଳିବେ। ସମସ୍ତ ଶ୍ରମିକମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରଖିବାରେ ସବଠାରୁ ବୟସ୍କ ଶ୍ରମିକ ଗବ୍ବର ସିଂହ ନେଗୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ଭଳି ସେ ମଧ୍ୟ ଟନେଲ ଭିତରେ ଫସି ରହିଥିଲେ। କିନ୍ତୁ ସେ ସମସ୍ତଙ୍କୁ ଧୈର୍ଯ୍ୟ ଓ ସାହାସ ରଖିବାକୁ ସବୁବେଳେ କହି ଆସୁଥିଲେ। ଅନ୍ୟ ଶ୍ରମିକମାନେ ମଧ୍ୟ ତାଙ୍କ କଥା ଶୁଣୁଥିଲେ।

ଗବ୍ବର ସିଂହ ନେଗୀ ୨୬୦ କିମି ଦୂର ପୌରି ଗରହୱାଲ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ୩ ଥର ଏପରି ଟନେଲ ଦୁର୍ଘଟଣାରୁ ଜୀବିତ ଅବସ୍ଥାରେ ଫେରିବାକୁ ସକ୍ଷମ ହୋଇଛନ୍ତି।

୪୦୦ ଘଣ୍ଟାରୁ ଅଧିକ ସମୟ ଗବ୍ବର ନିଜର ସାଥୀମାନଙ୍କ ସହ ଫସି ରହିଥିଲେ ମଧ୍ୟ ଧୈର୍ଯ୍ୟ ହାରି ନଥିଲେ। ସେ ସମସ୍ତଙ୍କୁ ଯୋଗ ଓ ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ସମସ୍ତେ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ମଧ୍ୟ ରହିବାକୁ ସକ୍ଷମ ହୋଇଥିଲେ। ଏଥିସହ ନିଜେ ସମସ୍ତ ଠାରୁ ପଛରେ ଟନେଲ ଭିତରୁ ବାହାରକୁ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସତକୁ ସତ ମଙ୍ଗଳବାର ଶେଷ ଶ୍ରମିକ ଭାବେ ଗବ୍ବର ସିଂହ ନେଗୀ ଟନେଲରୁ ବାହାରିଥିଲେ। ବରିଷ୍ଠ ଭାବେ ସେ ବଳିଷ୍ଠ ନେତୃତ୍ୱର ଦିଗଦର୍ଶନ ଦେଇ ପୂରା ଦେଶବାସୀଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି।

“ମୁଁ ସବୁଠାରୁ ବରିଷ୍ଠ। ମୁଁ ଶେଷ ବ୍ୟକ୍ତି ଭାବେ ବାହାରକୁ ବାହାରିବି।” ବାସ ଏତିକି ସେ ମୋତେ କହିଥିଲେ ବୋଲି ଗବ୍ବର ସିଂହ ନେଗୀଙ୍କ ଭାଇ ଜୟମଲ ସିଂହ ନେଗୀ ଗଣମାଧ୍ୟମକୁ କହିଛନ୍ତି।

ଭାଇ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ଜୟମଲ ଖୁସି ବ୍ୟକ୍ତି କରିଛନ୍ତି। ସେ କହିଛନ୍ତି, “ମୁଁ ବହୁତ ଖୁସି। ଆମ ପରିବାର ବହୁତ ଖୁସି। କେବଳ ଆମ ପରିବାର ନୁହେଁ, ପୂରା ଦେଶ ଏବେ ଖୁସି। ପୂରା ଦେଶ ଶ୍ରମିକମାନଙ୍କ ପାଇଁ ପ୍ରାର୍ଥନା କରୁଥିଲା। ସେମାନେ ଯେତେବେଳେ ବାହାରିଲେ ଆମେ ଦେଖିବାକୁ ପାଇଲୁ ଯେ ସମସ୍ତେ ସୁସ୍ଥ ଅଛନ୍ତି। ଆମେ ମିଠା ଓ ଫୁଲ ବାଣ୍ଟିଛୁ।

ମୁଁ ମୋ ଭାଇ ସହ ଦୈନିକ କଥା ହେଉଥିଲି। ପ୍ରଥମେ ଆମେ ଭାବୁଥିଲୁ ଯେ ପାଇପଗୁଡ଼ିକ ସେମାନେ ତଳ ଭାଗରେ ଲଗାଉଛନ୍ତି। କିନ୍ତୁ ଏହାପରେ ଉଦ୍ଧାରକାରୀ ଟିମ ଆମକୁ ଫୋନ ଦେଇଥିଲେ। ମୁଁ ଏହି ଫୋନ ଯୋଗେ ଭାଇଙ୍କ ସହ କଥା ହେଉଥିଲି। ମୁଁ ତାଙ୍କୁ ଯୋଗ କରିବାକୁ କହିଥିଲି। ସେ ଏହାର ଜାବବରେ କହିଥିଲେ ଯେ ହଁ, ଆମେ ସମସ୍ତେ ଯୋଗ କରୁଛୁ।

ମୋ ଭାଇ ଭାରି ସାହାସୀ। ଉଦ୍ଧାର ବେଳେ ସମସ୍ତେ ଆଗ ଆସିବାକୁ ଚାହିଁବେ, ଯଦି ଦଳାଚକଟା ପରିସ୍ଥିତି ସୃଷ୍ଟି ହେବ ବୋଲି ମୁଁ ତାଙ୍କୁ ପଚାରି ଥିଲି। ସେ ମୋତେ କହିଥିଲେ ମୁଁ ବରିଷ୍ଠ। ତେଣୁ ସବୁଠାରୁ ଶେଷରେ ଯିବି।”

କେବଳ ଜୟମଲ ନେଗୀ ନୁହନ୍ତି, ଗବ୍ବର ସିଂହ ନେଗୀଙ୍କ ନେତୃତ୍ୱକୁ ଅନ୍ୟ ଉଦ୍ଧାରକାରୀ ଟିମ ମଧ୍ୟ ପ୍ରଶଂସା କରିଛନ୍ତି। ଗବ୍ବର ସିଂହ ହିଁ ଟନେଲ ଭିତରେ ଅନ୍ୟ ଶ୍ରମିକମାନଙ୍କୁ ସୁରକ୍ଷିତ ଓ ଖୁସି ରଖିବାକୁ ଚେଷ୍ଟା କରୁଥିଲେ।

ସେ ସମସ୍ତଙ୍କ ସହ ଲୁଡୋ ଓ ଚେସ ଖେଳୁଥିଲେ। ଶ୍ରମିକମାନେ ଚୋର ପୁଲିସ୍‌ ମଧ୍ୟ ଖେଳୁଥିଲେ। ଗବ୍ବର ସିଂହଙ୍କ ସାହାସ ଓ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି।

ଗବ୍ବର ସିଂହଙ୍କ ନେତୃତ୍ୱକୁ ସବୁ ଶ୍ରମିକମାନେ ଗ୍ରହଣ କରିଥିଲେ। ସେ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଶ୍ରମିକମାନେ ଟନେଲରୁ ବାହାରକୁ ଆସିଥିଲେ।

 

Leave a Reply

Your email address will not be published. Required fields are marked *