Spread the love

 

air

ଦେଢ଼ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନ ସେବା କମ୍ପାନୀ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଯାତ୍ରୀମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ବିଶେଷ କରି ବିମାନରେ ବିସିବାକୁ ଅନୁମତି ପାଉ ନଥିବା ଯାତ୍ରୀ, ଯେଉଁମାନଙ୍କର ବିମାନ ବାତିଲ କିମ୍ବା ବିଳମ୍ବିତ ହେଉଛି, ସେମାନଙ୍କୁ ଆବଶ୍ୟକ ଓ ଜରୁରୀ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି।

ଏଥିସହ ବିଜନେସ କ୍ଲାସରେ ଟିକେଟ ବୁକିଂ କରୁଥିବା ଲୋକଙ୍କୁ ମଧ୍ୟ ଏୟାର ଇଣ୍ଡିଆ ଯୋଗ୍ୟ ନଥିବା ସିଟ୍‌ରରେ ଯାତ୍ରା କରିବାକୁ ବାଧ୍ୟ କରାଉଥିଲା। ଏଥିପାଇଁ ବୁଧବାର ଡିଜିସିଏ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ଏହାପୂର୍ବରୁ ଜୁନ ମାସରେ ଯାତ୍ରୀଙ୍କୁ ବିମାନରେ ବସିବାକୁ ବାରଣ କରିଥିବା ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗିଥିଲା। ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ଯୋଗାଇ ଦେଉଥିବା ସେବାର ଯାଞ୍ଚ କରାଯାଇଥିଲା। ଏଥିପାଇଁ ଡିଜିସିଏ ଅଧିକାରୀମାନେ ଦିଲ୍ଲୀ, କୋଚି ଓ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ମେ’ ଓ ସେପ୍ଟେମ୍ବର ମାସରେ ଦୁଇ ଥର ଏୟାର ଇଣ୍ଡିଆର ଘରୋଇ ବିମାନ ସେବାର ଯାଞ୍ଚ କରାଯାଇଥିଲା।

ଏହି ସମୟରେ ଡିଜିସିଏ ପକ୍ଷରୁ ଧାର୍ଯ୍ୟ ନିୟମକୁ କମ୍ପାନୀ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଥିଲା। ଏହାପରେ ନଭେମ୍ବର ୩ରେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ଏୟାର ଇଣ୍ଡିଆ ଦେଇଥିବା ଜବାବ ଆଦୌ ସନ୍ତୋଷଜନକ ନଥିଲା। କମ୍ପାନୀ ଯାତ୍ରୀଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିବା ଡିଜିସିଏ କହିଛି।

କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ ଦେଢ଼ ବର୍ଷ ତଳେ ଟାଟା ଗ୍ରୁପ ଭାରତ ସରକାରଙ୍କ ଠାରୁ କିଣିଥିଲା। ଏହାପରେ ବାରମ୍ବାର ଏୟାର ଇଣ୍ଡିଆର ବିମାନ ସେବା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।

 

Leave a Reply

Your email address will not be published. Required fields are marked *