
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ପାଳନ ହେଉଥିବା ବାଂଲାଦେଶର ‘ସଶସ୍ତ୍ର ବାହିନୀ ଦିବସ’ରେ ଅଂଶଗ୍ରହଣ ନ କରିବାକୁ ବିଦେଶରେ ଥିବା ସମସ୍ତ ଦୂତାବାସ ଏବଂ ହାଇକମିସନମାନଙ୍କୁ କହିଛି। ଭାରତୀୟ ଗୁଇନ୍ଦା ଏଜେନ୍ସି ଜରିଆରେ ଯେଉଁ ମେସେଜ କୁ ଠାବ କରାଯାଇଛି ତାହାର ସବୁଠାରୁ ରୋଚକ କଥା ହେଉଛି ଏହି ବାର୍ତ୍ତା ବାଂଲାଦେଶର ରାଜଧାନୀ ଢାକା ଏବଂ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ପଠାଯାଇ ନାହିଁ । ଏହି ବାର୍ତ୍ତାକୁ ଡିକୋଡ୍ (ଗୁପ୍ତବାର୍ତ୍ତାକୁ ପଢିବାକୁ ସକ୍ଷମ ହେବ) ଭାରତୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।
ବାଂଲାଦେଶ ନଭେମ୍ବର ୨୧ ରେ ୫୨ତମ ସଶସ୍ତ୍ର ବାହିନୀ ଦିବସ ପାଳନ କରୁଛି । ବାଂଲାଦେଶରେ ‘ସଶସ୍ତ୍ର ବାହିନୀ ଦିବସ’ ଉତ୍ସବ ଓ ଉତ୍ସାହ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଏ । ୧୯୭୧ର ଏହି ଦିନରେ ବାଂଲାଦେଶର ମୁକ୍ତି ବାହିନୀ ଅଧିନରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ପ୍ରତିଷ୍ଠା ହୋଇଥିଲା । ୧୯୭୧ ମସିହା ନଭେମ୍ବର ୨୧ ତାରିଖରେ ସଶସ୍ତ୍ର ବାହିନୀ ବାଂଲାଦେଶରେ ପାକିସ୍ତାନ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲା । ଏଭଳି ଭାବେ ଆରମ୍ଭ ହୋଇଥିଲା ବାଂଲାଦେଶ ମୁକ୍ତି ସଂଗ୍ରାମ ।