
କଟକ ସହରର କାଠଯୋଡି ନଦୀପଠାରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହଟି ନିଖୋଜ ଛାତ୍ରଙ୍କର ବୋଲି ଜଣାପଡ଼ିଥିବା ବେଳେ ତାହାକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।
ଛାତ୍ରଜଣକଙ୍କ ଘର କଲ୍ୟାଣନଗରରେ ହୋଇଥିବା ବେଳେ ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତ ଶୁକ୍ରବାରଠୁ ସେ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ମଧୁପାଟଣା ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ଆଡ଼େ ଖୋଜାଖୋଜି କରୁଥିଲେ। ମାତ୍ର ପୁଅର କୌଣସି ସନ୍ଧାନ ପାଇ ପାରୁ ନ ଥିବା ବେଳେ ଆଜି ତା’ ମୃତ୍ୟୁ ଖବର ସେମାନଙ୍କୁ ଦୋହଲାଇ ଦେଇଛି।
ତେବେ ପିଲାଟିକୁ କାହିଁକି କିଏ ହତ୍ୟା କଲା ତାହା ଉପରୁ ପରଦା ହଟିନି। ପିଲାଟିର ପରିବାରର କୌଣସି ପୂର୍ବ ଶତ୍ରୁତା ଥିଲା ନା ପିଲାଟିର କାହା ସହ ଗଣ୍ଡଗୋଳ ହୋଇଥିବାରୁ ଏପରି କାଣ୍ଡ ଘଟିଲା ତାହା ଉପରେ ସମସ୍ତଙ୍କ ନଜର।