
ନଭେମ୍ବର ୧୫ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିବରଣୀ ନିର୍ବାଚନ ଆୟୋଗରେ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ଅନୁଦାନ ଦେଇଥିବା ଡୋନରଙ୍କ ନାମ ସମେତ ଅର୍ଥ ପରିମାଣ ଏବଂ ପ୍ରତ୍ୟେକ ବଣ୍ଡର ବ୍ୟାଙ୍କ ବିବରଣୀକୁ ଡବଲ୍ ସିଲ୍ କଭର କରି ଦାଖଲ କରିବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।
ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛନ୍ତି ଇଲେକ୍ସନ୍ କମିଶନ। ନଭେମ୍ବର ୨ରେ ସୁପ୍ରିମକୋର୍ଟ, ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ପାଉଥିବା ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଥିଲେ।
ସୁପ୍ରିମକୋର୍ଟ କହିଥିଲେ, ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ଏସବୁ ତଥ୍ୟ ଦାଖଲ ହେବା ଉଚିତ୍। ନିର୍ବାଚନ ବଣ୍ଡ ଯୋଜନା ଆରମ୍ଭ ହେବା ପରଠାରୁ ମିଳିଥିବା ସମସ୍ତ ଦାନର ବିବରଣୀ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।
ଏହାପରେ ନଭେମ୍ବର ୩ରେ ନିର୍ବାଚନ ଆୟୋଗ ଏନେଇ ରାଜନୈତିକ ଦଳର ଅଧ୍ୟକ୍ଷ, ସାଧାରଣ ସଚିବ ଏବଂ କୋଷାଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୫ ଅପରାହ୍ନ ୫ଟା ସୁଦ୍ଧା ଦୁଇଟି କଭରରେ ସିଲ୍ କରି ଆର୍ଥିକ ଅନୁଦାନର ରିପୋର୍ଟ ଦାଖଲ କରିବାକୁ ନିର୍ବାଚନ କମିଶନ କହିଥିଲେ।