
ମଣ୍ଡି ଖୋଲିଲେ ସିସି କ୍ୟାମେରା ଲାଗିବ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। ନୂଆଗାଁ, କୁଆରମୁଣ୍ଡା, ଲାଠିକଟା, ଲହୁଣିପଡ଼ା, ଗୁରୁଣ୍ଡିଆ, ହେମଗିରି, ଟାଙ୍ଗରପାଲି, ବଡଗାଁ, କୁତ୍ରା, ଲେଫ୍ରିପଡା, ରାଜଗାଙ୍ଗପୁର ଆଦି ବ୍ଲକରେ ରହିଥିବା ଲ୍ୟାମ୍ପସ ଅଧିନସ୍ଥ କିଛି ମଣ୍ଡିରେ ବର୍ଷ ବର୍ଷ ଧରି ସେଡ୍ ନିର୍ମାଣ ହେଉନଥିବାରୁ ଚାଷୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି। କେଉଁଠି ଟନ୍ ଟନ୍ ଧାନ ସେମିତି ଖୋଲା ଆକାଶ ତଳେ ମାସ ମାସ ଧରି ପଡି ରହୁଛି। ପୁଣି ଅନ୍ୟ କେଉଁଠି ଚାଷୀଙ୍କୁ ଜରିପାଲ ମିଳୁ ନଥିବାରୁ ବର୍ଷାରେ ଭିଜି ଧାନଗୁଡ଼ିକ ଗଜା ହୋଇଯାଉଛି। ପ୍ରତିବର୍ଷ ଚାଷୀଙ୍କୁ ଏଭଳି ହଇରାଣ ହରକତ ହେବାକୁ ପଡୁଛି। ସମାଧାନ ପାଇଁ ଲ୍ୟାମ୍ପସ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି।
ସେପଟେ ପୂର୍ବବର୍ଷ ଅପେକ୍ଷା ଚଳିତ ଥର ଜିଲ୍ଲାରେ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଗତ ଜିଲ୍ଲାରେ ମୋଟ ୪୯ ହଜାର ୯୭୧ ଚାଷୀ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖି ୪୦ ହଜାର ଚାଷୀଙ୍କୁ ଟୋକନ ଦିଆଯାଇ ପାରିଥିଲା। ଟୋକନ ପାଇଥିବା ୨୧ ଲକ୍ଷ ୩ ହଜାର ୯୧୭ କ୍ବିଣ୍ଟାଲ ଧାନ ଚାଷୀଙ୍କଠୁ ଧାନ କିଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୩ ହଜାର ୭୪୦ ଚାଷୀ ପଞ୍ଜିକରଣ କରି ସାରିଛନ୍ତି। ସେଟ୍ଲାଇଟ୍ ସର୍ଭେ ପରେ ଫାଇନାଲ ତାଲିକା ପ୍ରସ୍ତୁତ ହେବ ବୋଲି ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ହେଲେ ସେଟ୍ ଲାଇଟ୍ ସର୍ଭେକୁ ପ୍ରକୃତ ଚାଷୀ ସହଜରେ ଗ୍ରହଣ କରୁନାହାନ୍ତି। ଜିଲ୍ଲାର ମଣ୍ଡି ସମସ୍ୟାକୁ ନେଇ ଜିଲ୍ଲା ସମବାୟ ସମିତିର ଉପ ନିବନ୍ଧକ ୟୁ. ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁ ଲ୍ୟାମ୍ପସ ଅଧିନସ୍ଥ ମଣ୍ଡିରେ ସେଡ ନାହିଁ। ସେଠି ସିସି କ୍ୟାମେରା ଲଗାଯାଇ ନାହିଁ। ଧାନ କିଣା ପୂବର୍ରୁ ଏସବୁ ମଣ୍ଡିରେ ସିସି କ୍ୟାମେରା ଲଗାଯିବ। ସ୍ଥାୟୀ ସେଡ୍ଗୁଡ଼ିକରେ ସିସି କ୍ୟାମେରା ଲଗାଯାଇଛି। ସେଡ଼ ନଥିବା ମଣ୍ଡିରେ ଚାଷୀଙ୍କୁ ଜରିପାଲ ଦିଆଯାଉଛି।