
ଭୁବନେଶ୍ୱରରେ ଆଜିଠୁ ଜନତା ମଇଦାନରେ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି।ଏହି ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହେବ। ଏହା ସହ ମିଶନ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ।
ତେବେ ସାରା ଦେଶ ପାଇଁ ସମ୍ମଳନୀରେ ମିଲେଟ୍ ପଲିସି ରୋଡମ୍ୟାପ ପ୍ରସ୍ତୁତ ହେବ। ମାଣ୍ଡିଆ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ସହ ଘର ଘରେ ମିଲେଟ୍ ବ୍ୟବହାର ବୃଦ୍ଧି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଫଣ୍ଡ ଫର ଏଗ୍ରିକଲଚରାଲ ଡେଭଲମେଣ୍ଟ, ଆଫ୍ରିକୀୟ ଓ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା ସାମିଲ ହେବେ। ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍, ଖାତନାମା ସେଫ୍ ବିକାଶ ଖାନ୍ନା ପ୍ରମୁଖ ସାମିଲ ହେବେ। ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଇଛି ମିଲେଟ୍ ଚାଷ।