
ମୁମ୍ବାଇ ମାଟୁଙ୍ଗା ପୁଲିସ ଅଧିକାରୀଙ୍କ ଅନୁସାରେ, ୨୦୧୯ରୁ ବର୍ତ୍ତମାନ ଯାଏଁ ଏହି ଦୁର୍ନୀତି କରିଥିବା ଅଭିଯୋଗରେ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରକାର ଏବଂ ମୁଖ୍ୟ ଅ୍ରଭିଯୁକ୍ତ ରବି ଉପ୍ପଲ ଓ ଶୁଭମ ସୋନି ତଥା ଅନ୍ୟମାନଙ୍କ ବିରୋଧରେ ମଙ୍ଗଳବାର ଏଫ୍ଆଇଆର୍ ରୁଜୁ ହୋଇଛି।
କୁର୍ଲା କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୨୦, ୧୨୦-ବି(ଷଡଯନ୍ତ୍ର), ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (ସାଇବର ଆତଙ୍କବାଦ) ଏବଂ ଜୁଆ ଖେଳ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଫଆଇଆର ମୁତାବକ ଅଭିଯୁକ୍ତମାନେ ଏହି ବେଟିଂ ଆପ୍ ଜରିଆରେ ପ୍ରାୟ ୧୫ହଜାର କୋଟି ଟଙ୍କାର ଠକେଇ କରିଛନ୍ତି।
ମହାଦେବ ବେଟିଂ ଆପ୍ ଜରିଆରେ ପ୍ରମୋଟରମାନେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ଦେଇଛନ୍ତି ବୋଲି ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା। ଏହି ବେଟିଂ ଆପ୍ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏନେଇ ତଦନ୍ତ ଜାରି ରହିଛି।