Spread the love

 

cki

ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଧିରେ ଧୀରେ ବୃଦ୍ଧି ପାଉଛି ଶୀତ ଲହରି। ଏହାରି ମଧ୍ୟରେ କନ୍ଧମାଳରେ ଗତ ତିନି ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି। ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଜି ଉଦୟଗିରି ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପାରା ୧୯.୭ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଏହି ଅକ୍ଟୋବରରେ ପ୍ରଥମ ଥର ପାଇଁ ଏହା ୨୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିବାବେଳେ କଟକ ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। କୋରାପୁଟ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ଜିଲ୍ଲାର ଅନେକ ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ଅନୁଭୂତ ହୋଇଛି। ଆଜି ଦ୍ୱିତୀୟ ଦିନରେ କୋରାପୁଟରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ରାସ୍ତାରେ ଦୃଶ୍ୟମାନତା ହ୍ରାସ ପାଇଛି। ସକାଳୁ ଯାତ୍ରୀମାନଙ୍କ ପାଇଁ ଏହା ସାମାନ୍ୟ ଅସୁବିଧା ସୃଷ୍ଟି କରିଛି। ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି।

ଅନ୍ୟପଟେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ୧ ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୁରୀର କିଛି ଅଞ୍ଚଳରେ, ଗଜପତି, ଗଞ୍ଜାମ, ମାଲକାନିଗିରି, କୋରାପୁଟ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ାରେ ଆସନ୍ତା ନଭେମ୍ବର ୧ ତାରିଖରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

 

Leave a Reply

Your email address will not be published. Required fields are marked *