Spread the love

 

ଅମୃତସର: ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା ଘର୍‌’ରେ (ଜୋତଘର) ଭକ୍ତମାନଙ୍କ ଜୋତା ସଜାଡ଼ି ‘ସେବା’ କରିଛନ୍ତି। ପ୍ରାପ୍ତ ରିପୋର୍ଟ ଅନୁସାରେ, ମୁଣ୍ଡରେ କପଡ଼ା ବାନ୍ଧି ରାହୁଲ୍‌ ଗାନ୍ଧୀ ଗସ୍ତର ଦ୍ବିତୀୟ ଦିନରେ ମଧ୍ୟ ଶ୍ରୀହରିମନ୍ଦିର ସାହିବ ଦର୍ଶନ କରି ‘ଲଙ୍ଗର୍‌’ରେ ପନିପରିବା କାଟିବା ସହିତ ଭକ୍ତମାନଙ୍କୁ ଭୋଜନ ପରଷିଥିଲେ। ତା’ପରେ ସେଠାରେ ସେ ବାସନକୁସନ ବି ମାଜିଥିଲେ।

‘ଲଙ୍ଗର୍‌’ରେ (ରୋଷେଇଘର) ରାହୁଲ୍‌ ଗାନ୍ଧୀ ମହିଳା ଭକ୍ତମାନଙ୍କ ଗହଣରେ ବସି ପରିବା କାଟୁଥିବା ବ‌େଳେ ସେମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ତା’ପରେ ଦର୍ଶନାର୍ଥେ ଆସିଥିବା ଭକ୍ତମାନଙ୍କୁ ‘ଚପାଟି’ (ରୁଟି) ପରିବେଷଣ କରିଥିଲେ। ସ୍ବର୍ଣ୍ଣ ମନ୍ଦିରରୁ ଫେରିବା ଆଗରୁ ସେ ଗର୍ଭଗୃହ ମଧ୍ୟକୁ ଯାଇ ପ୍ରାର୍ଥନା କରିଥିଲେ।

ସୂଚନାଯୋଗ୍ୟ, ସୋମବାର ଦିନ ମଧ୍ୟ ସ୍ବର୍ଣ୍ଣ ମନ୍ଦିରରେ ସେ ଭକ୍ତମାନଙ୍କୁ ଜଳ ପରିବେଷଣ କରି ଓ ସେମାନଙ୍କ ବାସନ ମାଜି ‘ସେବା’ କରିଥିଲେ। ଏହାଛଡ଼ା, ସେ ‘ଶବ୍ଦ କୀର୍ତ୍ତନ’ ଶୁଣିବା ସହିତ ପାରମ୍ପରିକ ‘ପାଲ୍‌କି ସେବା’ରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ‘ଗୁରୁ ଗ୍ରନ୍ଥ ସାହିବ’ଙ୍କୁ ‘ସୁଖାସନ’ ନିମନ୍ତେ ‘ଅକାଲ୍‌ ତଖ୍‌ତ୍‌’ ନିଆଯାଏ।

ସେ ଦିନ ପ୍ରାରମ୍ଭରେ ‘ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି’ କହିଥିଲା ଯେ, ମନ୍ଦିର ଦର୍ଶନ ପାଇଁ ଆସିଥିବା ରାହୁଲ୍‌ ଗାନ୍ଧୀଙ୍କ ଲାଗି ସମସ୍ତ ସହଯୋଗ ବ୍ୟବସ୍ଥା କରାଯାଇଛି।

 

Leave a Reply

Your email address will not be published. Required fields are marked *