Spread the love

 

vvv

ଭୁବନେଶ୍ବର : ୫-ଟି ସଚିବଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଜଣେ ମହିଳା‌ଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଭାରତୀ ସିଂ ନାମକ ଜଣେ ମହିଳା। ସେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ।
ଭାରତୀ ଦୀର୍ଘ ୪ ବର୍ଷ ହେଲା ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ୧୧ ତାରିଖ ଦିନ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ। ଏହି ସମୟରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାବେଳେ ସରକାରୀ ବ୍ୟବସ୍ଥା ଏବଂ 5T ସଚିବ ପାଣ୍ଡିଆନଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ।
ପାଣ୍ଡିଆନ ସାର୍‌ ବାରିପଦା ଆସିଥିବା ଥିବାବେଳେ ଯେଉଁ ଟଙ୍କା ସବୁ ଖର୍ଚ୍ଚ ହେଲା,ସେହି ଟଙ୍କା ବ୍ୟାଙ୍କ୍ ମିତ୍ର ମହିଳାମାନଙ୍କୁ ଦରମା ଆକାରରେ ଦେଇଥିଲେ ଭଲ ହେଇଥାନ୍ତା। ନ ହେଲେ ଗରିବ ଲୋକଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ। ଭାରତୀଙ୍କର ଏହି ଦୁଇ ପଦ କଥା ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାରତୀଙ୍କ ସପକ୍ଷରେ ଅନେକଙ୍କ ମତ ମଧ୍ୟ ପ୍ରକାଶ ପାଇଥିଲା। ଆଉ ଭୁବନେଶ୍ୱରରୁ ଫେରିବା ପରେ ଭାରତୀଙ୍କୁ ମିଳିଥିଲା ନିଲମ୍ବନ ଚିଠି।
ମା’କୁ ସମ୍ମାନ କହି ଡିଣ୍ଡିମ ପିଟୁଥିବା ସରକାର ଜଣେ ମହିଳା 5T ସଚିବଙ୍କ ବିରୋଧରେ ମୁହଁ ଖୋଲିବାରୁ କିପରି ତାଙ୍କୁ ଶାସ୍ତି ମିଳିଛି ଏହା ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ଏହି ଘଟଣାରୁ ପାଣ୍ଡିଆନଙ୍କ ଏକଛତ୍ରବାଦୀ ଶାସନ ସଂପର୍କରେ ଜଣାପଡ଼ୁଛି। ଯିଏ ତାଙ୍କ ବିରୋଧରେ ମୁହଁ ଖୋଲିବ ସେ ଆଉଟ୍ ହେବ। ସେମାନେ ନେତା ହେଉଥାନ୍ତୁ ବା ମନ୍ତ୍ରୀ ଓ ବିଧାୟକ।
ଏନେଇ ଭାରତୀ କହିଛନ୍ତି, ଗତ ୧୧ ତାରିଖରେ ବ୍ୟାଙ୍କ ମିତ୍ର ୟୁନିଅନ ପକ୍ଷରୁ ରାଲିରେ ଭୁବନେଶ୍ୱର ଯାଇଥିଲୁ। ମୋ ପେଟ ପାଟଣା ପାଇ ମୁଁ ରାଲିରେ ପ୍ରତିବାଦ କରିଥିଲି। ପାଣ୍ଡିଆନ ସାର୍ ବାରିପଦା ଆସିଥିଲେ, ଯେଉଁ ଟଙ୍କା ତାଙ୍କ ପାଇଁ ଖର୍ଚ୍ଚ ହେଲା, ସେହି ଟଙ୍କାକୁ ଆମ ଷ୍ଟାଫ ନ ହେଲେ ଗରିବ ଦୁଃଖୀଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା ବୋଲି ରାଲିରେ ଏହି କଥା ମୁଁ କହିଥିଲି। ଏଇଟା କହିବା କ’ଣ ମୋର ଭୁଲ ହୋଇଗଲା କି?
ସେ ଆହୁରି କହିଛନ୍ତି, ଭୁବନେଶ୍ୱର ଆସିବା ପରେ ୧୫ ତାରିଖରେ ମୋତେ ବ୍ଲକକୁ ଡକା ଯାଇଥିଲା। ପାଣ୍ଡିଆନ ସାର୍‌ଙ୍କ ନାଁରେ ଏପରି କାହିଁକି କହିଲ ବୋଲି ମୋତେ ପଚରାଯାଇଥିଲା। ଏହି ସମୟରେ ବ୍ଲକର ସମସ୍ତ ମେମ୍ବର, ଜିଏଲ୍‌ଫ୍‌ର ସମସ୍ତ ମେମ୍ବର, ଏସଏଚଜି ମହିଳା ସଂଘର ଜିଲ୍ଲା ପଞ୍ଚାୟତ ସ୍ତରୀୟ ସଭାପତି ଉପସ୍ଥିତ ଥିଲେ। ମୁଁ ଭୁଲ ବଃଶତ କହି ଦେଇଛି, ଏହାପରେ ମୁଁ ଆଉ କହିବିନି, ଏଥିପାଇଁ ଲିଖିତ ଆକାରରେ ଦେଇଥିଲି।
ଏହାପରେ ବି ମୋତେ ଚାକିରିରୁ ନିଲମ୍ବନ କରି ଦିଆଗଲା। ମୁଁ ନିୟମିତ ବ୍ୟାଙ୍କ ଯାଉନି, ମା’ମାନଙ୍କୁ ସମ୍ମାନ ଦେଉ ନାହିଁ, ଛୁଟି ନେଲେ ଦରଖାସ୍ତ ଦେଉ ନାହିଁ ବୋଲି ମୋତେ ବହିଷ୍କାର କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା।। ମୁଁ ଏନେଇ ଜିଲ୍ଲାପାଳଙ୍କୁ ଭେଟିଥିଲି। ନିଲମ୍ବନ ଆଦେଶ ଉପରେ ପୁନଃ ବିଚାର କରିବା ପାଇଁ ନିବେଦନ କରିଥିଲି।
ଭାରତୀ ଆହୁରି କହିଛନ୍ତି, ମୋ ପଇସାରେ ଘର ଚଳୁଥିଲା। ଏବେ ମୋତେ ଚାକିରିରୁ ନିଲମ୍ବନ କରିବା ପରେ ମୋ ଘର କେମିତି ଚଳିବ? ଏଥିପାଇଁ ମୁଁ ମାନସିକ ଚାପରେ ଅଛି। ଏ ଦିଗରେ କୈାଣସି ପଦକ୍ଷେପ ନ ହେଲେ କୋର୍ଟର ଆଶ୍ରୟ ନେବି। ଅନ୍ୟପକ୍ଷରେ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ପୂର୍ବରୁ ଭାରତୀ ଭଲ କାମ କରିଥିବା ଯୋଗୁ ଦୁଇ ଦୁଇ ଥର ବ୍ଲକ୍ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି। କୋଭିଡ ସମୟରେ ନିଜ ସ୍ଵଳ୍ପ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ଦେଇ ସମସ୍ତଙ୍କ ପ୍ରିୟ ହୋଇଥିଲେ। ହେଲେ ନିଜର ହକ୍ ପାଇଁ ମୁହଁ ଖୋଲିଲେ ବୋଲି ତାଙ୍କ ଚାକିରିରୁ ବହିଷ୍କାର କରାଗଲା। ଓଡ଼ିଶାରେ କି ଶାସନ ଚାଲିଛି ବୋଲି ଭାରତୀ ପ୍ରଶ୍ନ କରିଛନ୍ତି?

 

Leave a Reply

Your email address will not be published. Required fields are marked *