
୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାତି ୨ଟାରୁ ଲଗାଣ ବର୍ଷା ଜାରି ରହିଛି। ଜୁଆଡେ ଚାହିଁବ ପାଣି ଆଉ ପାଣି। ବୁଡି ରହିଛି କାର୍ ଓ ବସ୍। ଅମ୍ବାଝରି ହ୍ରଦରୁ ପାଣି ଉଛୁଳି ସହର ସାରା ଜଳମଗ୍ନ ହୋଇଯାଇଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଲୋକମାନେ ଦଉଡି ସାହାଯ୍ୟରେ ପାର ହେଉଛନ୍ତି। ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି।
୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଅଗ୍ନିଶମ ବାହିନୀ ଓ SDRF ଟିମ୍ । ଲୋକମାନଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍ କହିଛନ୍ତି, ନାଗପୁରରେ ପ୍ରବଳ ବର୍ଷା ଯୋଗୁଁ ଅମ୍ବାଝରୀ ହ୍ରଦ ଓଭରଫ୍ଲୋ ହୋଇ କିଛି ଅଞ୍ଚଳରେ ପାଣି ପସିଯାଇଛି । ନାଗପୁର କଲେକ୍ଟର, ନଗର ନିଗମ କମିଶନ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଜରୁରୀ ପଦକ୍ଷେପ ନେଇଛନ୍ତି । ତଳିଆ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୁହାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ ଟିମ୍ ଏବଂ ଏନଡିଆରଏଫ ଟିମ୍ ନିୟୋଜିତ ରହିଛି ।