
ଗତବର୍ଷରୁ ବିଶ୍ୱର ଅରବପତି ଏଲନ ମସ୍କ ଟ୍ୱିଟରକୁ ନିଜ ଅଧୀନକୁ ନେବା ପରଠାରୁ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି। ପ୍ରଥମେ ପ୍ଲାଟଫର୍ମର ବରିଷ୍ଠ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ କର୍ମଚାରୀଙ୍କ ଛଟେଇ କରିଥିଲେ। ଏହାପରେ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କ ପାଇଁ ମାସିକ ଦେୟ ଲାଗୁ କରିଥିଲେ। ପ୍ଲାଟଫର୍ମରେ ଲୋଗୋ, ନାମ ଆଦି ସବୁକିଛି ପରିବର୍ତ୍ତନ କରିସାରିଛନ୍ତି ମସ୍କ। ଆଉ ଏବେ ସାଧାରଣ ବ୍ୟବହାରୀଙ୍କଠାରୁ ନେବେ ଟଙ୍କା।
ଏନେଇ ମସ୍କ କହିଛନ୍ତି ଯେ, “ଆଗକୁ X ବ୍ୟବହାରକାରୀଙ୍କୁ ଅଳ୍ପ କିଛି ଦେୟ ଦେବାକୁ ପଡ଼ିବ। ନକଲି ଆକାଉଣ୍ଟ ଯାହାକୁ ବଟ୍ କୁହାଯାଏ ଏସବୁର ମୁକାବିଲା ପାଇଁ ଏପରି ଏକ ପଦକ୍ଷେପ ନିଆଯାଉଛି।”
ତଥାପି, ସିଏନବିସି ରିପୋର୍ଟ ଅନୁଯାୟୀ, ଏହି ଫି’ କେତେ ହେବ କିମ୍ବା ଉପଭୋକ୍ତାମାନଙ୍କୁ ଏଥିପାଇଁ କେତେ ଦେୟ ଦେବାକୁ ପଡ଼ିବ ତାହା ନିର୍ଦ୍ଦିଷ୍ଟ କରିନାହାଁନ୍ତି ମସ୍କ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ବାର୍ତ୍ତାଳାପ ସମୟରେ ମସ୍କ ମଧ୍ୟ X ବାବଦରେ କିଛି ତଥ୍ୟ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, X ରେ ବର୍ତ୍ତମାନ ୫୫ କୋଟି ଉପଭୋକ୍ତା ଅଛନ୍ତି, ଯେଉଁମାନେ ପ୍ରତି ମାସରେ ପ୍ଲାଟଫର୍ମ ବ୍ୟବହାର କରନ୍ତି ଏବଂ ପ୍ରତିଦିନ ୧୦ରୁ ୨୦ କୋଟି ପୋଷ୍ଟ କ୍ରିଏଟ୍ କରନ୍ତି।
ହେଲେ ସବୁଠୁ ବଡ କଥା ହେଉଛି କି ଏମାନଙ୍କ ମଧ୍ୟରୁ କେତେ ଜଣ ବଟ୍ ବା ଫେକ୍ ଆକାଉଣ୍ଟ ତାର ତଥ୍ୟ ଦେଇନାହାନ୍ତି ମସ୍କ। ବ୍ଲୁ ଟିକ୍ ନିୟମ ଆସିବା ପରେ ମଧ୍ୟ ପ୍ଲାଟଫର୍ମରେ ସ୍କାମରଙ୍କ ସଂଖ୍ୟା ବଢ଼ିଛି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଟ୍ୱିଟରରେ ବର୍ତ୍ତମାନ ସ୍କାମରମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତାରେ ବ୍ୟବହାକାରୀଙ୍କ ପ୍ରୋଫାଇଲ୍ ଫଟୋ ନେଇ ଫେକ୍ ଆକାଉଣ୍ଟ ଓପନ୍ କରୁଛନ୍ତି।
ଏସବୁ ମଧ୍ୟରେ ବ୍ୟବହାରକାରୀଙ୍କ ସୁରକ୍ଷା ଓ ଗୋପନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ନୂଆ ନିୟମ କେତେ ଗ୍ରହଣ ଯୋଗ୍ୟ ହୋଇପାରୁଛି ଏବଂ ପ୍ଲାଟଫର୍ମରେ ପୂର୍ବ ବ୍ୟବହାରକାରୀ ରହୁଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ।