Spread the love

ଫେରୁଛି ‘ବାଘ ନଖ’। ଅଫଜଲ ଖାନକୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ବ୍ୟବହାର କରିଥିବା ଅସ୍ତ୍ର ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ର ସାଂସ୍କୃତିକ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର୍। ଏହି ଅବସରରେ ‘ବାଘ ନଖ’ ପ୍ରତ୍ୟାବର୍ତ୍ତନ ନେଇ ଏକ ଚୁକ୍ତି ପତ୍ର ସ୍ୱାକ୍ଷର କରିବେ।

ଯଦି ସବୁକିଛି ଯୋଜନା ଅନୁଯାୟୀ କାର୍ଯ୍ୟ କରେ, ତେବେ ଭାରତର ଆଉ ଏକ ଐତିହ୍ୟ ‘ବାଘ ନଖ’ ଚଳିତ ମାସ ଭାରତ ଫେରିବାର ଶତ ପ୍ରତିଶତ ସମ୍ଭାବନା ରହିଛି। ଏହି ଅସ୍ତ୍ର ଭାରତ ଆସିବା ପରେ ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ମ୍ୟୁଜିୟମରେ ସ୍ଥାପନା ନେଇ ପ୍ରସ୍ତୁତ ହୋଇଛି। ୧୬୫୯ ମସିହାରେ ବିଜେପୁର ସୁଲତାନର ଜେନେରାଲ ଅଫଜଲ ଖାନଙ୍କୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ମହାରାଜ ବାଘ ନଖ ପରି ଏକ ଅସ୍ତ୍ର ବ୍ୟବହାର କରିଥିଲେ, ଯାହାକୁ ‘ବାଘ ନଖ’ ବୋଲି କୁହାଯାଏ।

ମୁଙ୍ଗନ୍ତିୱାର କହିଛନ୍ତି ଯେ, ‘ବାଘ ନଖ’କୁ ଭାରତ ଫେରାଇ ଆଣିବା ପାଇଁ ଆମେ ବ୍ରିଟେନ କର୍ତ୍ତୃପକ୍ଷଙ୍କଠାରୁ ଏକ ଚିଠି ପାଇଛୁ। ସେମାନେ ଆମକୁ ଛତ୍ରପତି ଶିବାଜୀ ମହାରାଜଙ୍କ ବାଘ ନଖ ଫେରାଇବାକୁ ରାଜି ହୋଇଛନ୍ତି। ହିନ୍ଦୁ କ୍ୟାଲେଣ୍ଡର ଉପରେ ଆଧାର କରି ଶିବାଜୀ ଅଫଜଲ ଖାନଙ୍କୁ ହତ୍ୟା କରିଥିବା ଦିନର ବାର୍ଷିକୀ ଅବସରରେ ଆମେ ଏହାକୁ ଫେରି ପାଇପାରିବା। ଅନ୍ୟ କେତେକ ତାରିଖ ଉପରେ ମଧ୍ୟ ବିଚାର କରାଯାଉଛି ବୋଲି ମୁଙ୍ଗନ୍ତୀୱର କହିଛନ୍ତି।

ସେ ଆହୁରି କହିଛନ୍ତି, ‘ବାଘ ନଖ’ ବ୍ୟତୀତ ଶିବାଜୀଙ୍କ ଅନ୍ୟ ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ ମଧ୍ୟ ଯୋଜନା କରାଯାଉଛି। କାରଣ ବର୍ତ୍ତମାନ ବ୍ରିଟେନରେ ପ୍ରଦର୍ଶିତ ହେଉଥିବା ଜଗଦମ୍ବା ଖଣ୍ଡା ଛତ୍ରପତି ଶିବାଜୀ ବ୍ୟବହାର କରୁଥିଲେ। ଗ୍ରିଗୋରିଆନ କ୍ୟାଲେଣ୍ଡର ଅନୁସାରେ ଅଫଜଲ ଖାନଙ୍କୁ ଛତ୍ରପତି ନଭେମ୍ବର ୧୦ରେ ହତ୍ୟା କରିଥିଲେ। କିନ୍ତୁ ଆମେ ହିନ୍ଦୁ ତିଥି କ୍ୟାଲେଣ୍ଡର ଉପରେ ଆଧାର କରି ତାରିଖ ପ୍ରସ୍ତୁତ କରୁଛୁ ବୋଲି ମୁଙ୍ଗନ୍ତିୱର କହିଛନ୍ତି।

ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘ ନଖ’ ଇତିହାସର ଏକ ଅମୂଲ୍ୟ ଭଣ୍ଡାର ଏବଂ ମହାରାଷ୍ଟ୍ରବାସୀଙ୍କ ଭାବାବେଗ ସହ ଜଡ଼ିତ ଅଛି। ଏହାକୁ ଅତି ଯତ୍ନର ସହ ଫେରାଇ ଅଣାଯିବ ବୋଲି ସାଂସ୍କୃତିକ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *