Spread the love

ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ କରି ଆଇନଗତ ଅଧିକାର ଦେଇଛନ୍ତି।

ତେବେ ଏପରି ପିଲାମାନେ କେବଳ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁସାରେ ନିଜର ଅଧିକାର ପାଇଁ ଦାବି କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପୂର୍ବରୁ କୋର୍ଟ କହିଥିଲେ ଯେ ଅବୈଧ ବିବାହରୁ ଜନ୍ମିତ ପିଲାମାନେ କେବଳ ବାପା ମା’ କିଣିଥିବା ସମ୍ପତ୍ତିରୁ ଭାଗ ନେଇପାରିବେ।

ସେମାନେ ଅନ୍ୟ ପୈତୃକ ସମ୍ପତ୍ତି ଉପରେ ଅଧିକାର ଜାହିରି କରିପାରିବେ ନାହିଁ। ହେଲେ ଏବେ ସୁପ୍ରିମକୋର୍ଟ ସମସ୍ତ ପ୍ରକାରର ସମ୍ପତ୍ତି ଉପରେ ଅବୈଧ ବିବାହରୁ ଜନ୍ମିତ ପିଲାମାନେ ନିଜର ଅଧିକାର ଜାହିର କରିପାରିବେ।

୨୦୧୧ ମସିହାରେ ୨ ଜଣିଆ ଖଣ୍ଡପୀଠ ଦେଇଥିବା ରାୟ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ କରୁଛନ୍ତି। ଏହି ସମୟରେ ଖଣ୍ଡପୀଠ କହିଛନ୍ତି, ଅବୈଧ ବିବାହର ଜନ୍ମିତ ପିଲାମାନେ ସେମାନଙ୍କ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର। ଏହି ସମ୍ପତ୍ତି ସେମାନଙ୍କ ବାପା ମା’ ନିଜେ କିଣିଥାଆନ୍ତୁ କିମ୍ବା ସେମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥାଉ, ଏହା ଉପରେ ଏପରି ପିଲାଙ୍କ ଅଧିକାର ରହିଛି।

ମାଡ୍ରାସ ହାଇକୋର୍ଟ ପ୍ରଥମେ ରାୟ ଦେଇଥିଲେ ଯେ ଲିଭ ଇନ ରିଲେସନଶିପରୁ ଜନ୍ମିତ ପିଲାମାନେ ପୈତୃକ ସମ୍ପତ୍ତିର ଭାଗ ନେଇ ପାରିବେ। କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ।

ସେତେବେଳେ କୋର୍ଟ କହିଥିଲେ ଯେ କେବଳ ବାପା ମା’ କିଣିଥିବା ବା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଉପରେ ଅବୈଧ ବିବାହରୁ ଜନ୍ମିତ ପିଲାମାନେ ଭାଗ ନେଇ ପାରିବେ। ସେମାନେ ଅନ୍ୟ ସମ୍ପତ୍ତି ଉପରେ ନିଜର ଅଧିକାର ଜାହିର କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *