Spread the love

ଦୋହଲୁଲା ଜହ୍ନ, ହେଲା ଭୂ-କମ୍ପ । ଚନ୍ଦ୍ରପୃଷ୍ଠରେ ପାଦ ଥାପି ନୂଆ ନୂଆ ସନ୍ଧାନ ଜାରି ରଖିଥିବା ଲ୍ୟାଣ୍ଡର ବିକ୍ରମକୁ ମିଳିଛି ଏପରି କିଛି ନୂଆ ରୋଚକ ତଥ୍ୟ।  କେତେବେଳେ ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଥିବା ସୂଚନା ମିଳୁଥିବା ବେଳେ ଆଉ କେତେବେଳେ ସେଠାରେ ସଲ୍‌ଫର ଓ ଅମ୍ଲଜାନ ଥିବା ଜଣାପଡ଼ିଛି। ଚନ୍ଦ୍ରପୃଷ୍ଠରୁ ନୂଆ ସନ୍ଧାନର ଫଟୋ ଓ ଭିଡିଓ ପଠାଉଥିବା ବିକ୍ରମ ଏବେ ଆଉ ଏକ ଘଟଣା ସମ୍ପର୍କରେ ଦେଇଛି ସୂଚନା। ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ଗତ ୨୬ ତାରିଖରେ ଏପରି ପ୍ରାକୃତିକ କମ୍ପନ ରେକର୍ଡ କରାଯାଇଥିଲା। ଏହାର ସ୍ରୋତର ଯାଞ୍ଚ କରାଯାଉଥିବା କହିଛି ଇସ୍ରୋ । ଇସ୍ରୋ ମୁତାବକ ଚନ୍ଦ୍ରକୁ ପଠାଯାଇଥିବା ILSAର ଉଦ୍ଦେଶ୍ୟ ପ୍ରାକୃତିକ ଭୂକମ୍ପ, ତାହାର ପ୍ରଭାବ, ଏଥିଯୋଗୁ ହେଉଥିବା କମ୍ପନକୁ ମାପିବା ।

ଲ୍ୟାଣ୍ଡର ବିକ୍ରମରେ ଏପରି ଉପକରଣ ଖଞ୍ଜା ଯାଇଛି ଯେ, ଯାହା ଚନ୍ଦ୍ରପୃଷ୍ଠରେ କମ୍ପନର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇପାରିବ। ଏହି ଉପକରଣ ଗୁରୁବାର ଦିନ ଚନ୍ଦ୍ରପୃଷ୍ଠରେ ଭୂକମ୍ପ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାକୁ ପାଇଛି। ଏହା ରୋଭର ପ୍ରଜ୍ଞାନ ଓ ଅନ୍ୟ ପ୍ଲେଲୋଡ୍‌ସର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇଛି। ଏହାସହ ଏନେଇ ଗବେଷଣା ମଧ୍ୟ କରାଯାଉଛି।

ସେପଟେ ଆଶା ମୁତାବକ ଅଧିକ ବାଟ ଆଗେଇ ପାରିନି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଥିବାରୁ ମନ୍ଥର ହୋଇଯାଇଛି ରୋଭରର ଗତି। ଇସ୍ରୋ ହାତରେ ଆଉ ଅଛି ମାତ୍ର ୩ ଦିନ ସମୟ। ଏନେଇ ଇସ୍ରୋ ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅତି ବେଶିରେ ସେପ୍ଟେମ୍ବର ୩ ସନ୍ଧ୍ୟା ଯାଏ କାର୍ଯ୍ୟ କରିବ ରୋଭର ପ୍ରଜ୍ଞାନ। ଏହି ସମୟ ଭିତରେ ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ପର୍କରେ ଯଥାସମ୍ଭବ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ ଶହ ମିଟର ଗଡ଼ିବ। ଏହାକୁ ଦୈନିକ ୫ ମିଟରରୁ ୩୦ ମିଟର ବାଟ ଚଲାଇବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଲ୍ୟାଣ୍ଡର ଅବତରଣ ସ୍ଥଳରେ ବହୁସଂଖ୍ୟାରେ ଗର୍ତ୍ତ ଓ ପଥର ଆଦି ଥିବାରୁ ରୋଭର ଧୀରେ ଧୀରେ ଆଗକୁ ବଢ଼ୁଛି । ଭିଜିବିଲିଟିରେ ବି ସମସ୍ୟା ରହିଛି । ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ରୋଭରର ବାଟ ସ୍ପଷ୍ଟ ଦେଖାଯାଉ ନାହିଁ।

ତେଣୁ ସମୟ ସହ ଲଢ଼ି ରବିବାର ସନ୍ଧ୍ୟା ଭିତରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା ଚାଲିଥିବା ନିଲେଶ ଦେଶାଇ କହିଛନ୍ତି।

Leave a Reply

Your email address will not be published. Required fields are marked *