Spread the love

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନର ମୁନ୍ ମିଶନ୍ ସଫଳ ହେବା ପରେ ମା’ ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ। କେରଳର ଏକ ମନ୍ଦିରରେ ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୁଁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅନୁସନ୍ଧିତ୍ସୁ।”

“ମୁଁ ଜଣେ ଅନୁସନ୍ଧାନକାରୀ। ଚନ୍ଦ୍ରକୁ ଅନୁସନ୍ଧାନ କରେ, ଅନ୍ତରୀକ୍ଷର ସମସ୍ତ ଅବସ୍ଥିତି ଉପରେ ଅନୁସନ୍ଧାନ କରେ। ତେଣୁ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଅନୁସନ୍ଧାନ କରିବା ମୋ ଜୀବନର ଯାତ୍ରାର ମଧ୍ୟ ଏକ ଅଂଶ। ମୁଁ କେବଳ ମନ୍ଦିର ପରିଦର୍ଶନ କରେ ନାହିଁ ଅନେକ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରେ।” ବ୍ରହ୍ମାଣ୍ଡରେ ଆମର ଅସ୍ତିତ୍ୱ ଏବଂ ଆମ ଜୀବନର ଯାତ୍ରା ବାବଦରେ ଜାଣିବାକୁ ଚେଷ୍ଟା କରେ ବୋଲି ଏସ ସୋମନାଥ କହିଛନ୍ତି।

ଏଥିସହ ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୩ ଲ୍ୟାଣ୍ଡି ପଏଣ୍ଟର ନାମ ‘ଶିବଶକ୍ତି’ ରଖି କିଛି ଭୁଲ୍ କରି ନାହାନ୍ତି। ଚନ୍ଦ୍ରଯାନ-୩ ଉତକ୍ଷେପଣ ସମୟରେ ମଧ୍ୟ ଇସ୍ରୋର ଏକ ବୈଜ୍ଞାନିକ ଟିମ୍ ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜି ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ବିଜ୍ଞାନ ବନାମ ଧର୍ମକୁ ନେଇ ଖୁବ୍ ଚର୍ଚ୍ଚା କରିଥିଲେ ନେଟିଜେନ୍ସ।

ଜୁଲାଇରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି। ଏହି ସଫଳତା ସହ ଇସ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ବୈଜ୍ଞାନିକମାନଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିଥିବା ସେହି ସ୍ଥାନର ନାମ ‘ଶିବଶକ୍ତି’ ରଖିଥିଲେ। ଯାହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା।

ଅବତରଣ ସ୍ଥାନର ନାମ ଅନ୍ୟ କିଛି ରଖାନଯାଇ କାହିଁକି ‘ଶିବଶକ୍ତି’ ରଖାଗଲା ବୋଲି କୁହାଯାଇଥିଲା। ମନ୍ଦିର ଭ୍ରମଣ ସମୟରେ ଯାହାର ଜବାବ ରଖିଛନ୍ତି ଏସ ସୋମନାଥ ଏବଂ ପ୍ରଧାନମନ୍ତ୍ରୀ ଏପରି ନାମକରଣ କରିବାର ଯଥାର୍ଥ ଥିବା ସେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *