Spread the love

 

ଭୁବନେଶ୍ୱର: ଜୁନ୍ ମାସରେ ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କ ଜୀବନ ଯିବା ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁ ଷ୍ଟେସନରେ ଦୁର୍ଘଟଣା ଘଟିଛି ସେହି ଷ୍ଟେସନ ନିକଟରେ ଥିବା ଏକ ଲେଭଲ କ୍ରସିଂରେ ଅପ୍ରତ୍ୟାଶିତ ଭାବେ ମରାମତି କାମ କରାଯାଇଥିଲା ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ସ୍ୱତନ୍ତ୍ର ଅଦାଲତଙ୍କୁ ସୂଚନା ଦେଇଛି। ଜଣେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ତଥା ଅନ୍ୟତମ ଗିରଫ ରେଳ ଅଧିକାରୀ ଅରୁଣ କୁମାର ମହନ୍ତ ଆବଶ୍ୟକ ଅନୁମତି କିମ୍ବା ଅନୁମୋଦିତ ସର୍କିଟ୍ ଡାଏଗ୍ରାମ୍ ବିନା ଏହି କାମ କରିଥିବା ସିବିଆଇ କୋର୍ଟରେ କହିଛି।

ସିବିଆଇ ପ୍ରକାଶ କରିଛି ଯେ ମହନ୍ତ ୧୧୦-ଭୋଲ୍ଟ ଏସିରୁ ୨୪-ଭୋଲ୍ଟ ଡିସି ପର୍ଯ୍ୟନ୍ତ ଲେଭଲ କ୍ରସିଂ ଗେଟ୍ (ଫାଟକ) ଅପରେସନର ସଂଶୋଧନର ତଦାରଖ କରିଥିଲେ। ଏକ ଭିନ୍ନ ଗେଟ୍ରୁ ସର୍କିଟ୍ ଡାଏଗ୍ରାମ୍ ବ୍ୟବହାର କରିଥିଲେ। ସେ ତାଙ୍କ କାମର ପରିଣାମ ବିଷୟରେ ଅବଗତ ଥିଲେ ବୋଲି ସିବିଆଇ କୋର୍ଟରେ ଦୃଢ଼ୋକ୍ତି ପ୍ରକାଶ କରିଛି। ମହନ୍ତଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ଗେଟ୍ କିଛି ସମୟ ପାଇଁ ଖରାପ ଥିଲା। ଉପରିସ୍ଥ ଅଧିକାରୀ ତଦାରଖ ଦାୟିତ୍ୱରେ ଥିଲେ। ତେଣୁ ସେ ଦୁର୍ଘଟଣା ପାଇଁ ଦାୟୀ ନୁହନ୍ତି।

ତେବେ ମହନ୍ତଙ୍କ କାମ ପ୍ରକ୍ରିୟା ବିରୁଦ୍ଧାଚରଣ ବୋଲି କୋର୍ଟ ଦର୍ଶାଇଛନ୍ତି। ଲେବୁଲ କ୍ରସିଂରେ ମରାମତି କରିବା ପରେ ତାହା ସଠିକ ଭାବେ କାମ ହୋଇଛି ବୋଲି ସୁନିଶ୍ଚିତ କରିବାର ଆବଶ୍ୟକ ଥିଲା। ଯାହା ହୋଇ ନାହିଁ। ତେଣୁ ଦୁର୍ଘଟଣା ଘଟାଇଥିବା ଦର୍ଶାଇ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି କାମ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏଥିରୁ ମିଳିଥିବା ପ୍ରମାଣ ଆଧାରରେ ସେ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ୁଛି।

 

Leave a Reply

Your email address will not be published. Required fields are marked *