ହରିହର ତ୍ରିପାଠୀ
ଆଜି ଆକାଶରେ ଖୁବ୍ ବେଶି ନୀଳିମା । ଜ୍ୟୋତ୍ସ୍ନାରେ ଶିହରାଇ ଦେଲାଭଳି ଶୀତଳତା । ପବନ ବହିଆଣୁଛି ସ୍ୱତନ୍ତ୍ରତାର ଅପୂର୍ବ ସୁଗନ୍ଧ । କିଏ ଯେମିତି କହୁଛି ଏମିତି ମୁହୂର୍ତ୍ତସବୁ ଦେଶଲାଗି ଚିରନ୍ତନ ହୋଇ ପାରନ୍ତାନି । ତେବେ ଏସବୁ ଅନୁଭବର କଥା । କେଜାଣି କାହିଁକି ଏ ଦେଶବାସୀ ବୋଧହୁଏ ଏତେ ଅନୁଭବ କରିପାରୁନାହାନ୍ତି ସ୍ୱାଧୀନତାକୁ । କାରଣ ଦେଶର ଅର୍ଦ୍ଧାଧିକ ଲୋକଙ୍କ ଲାଗି ସ୍ୱାଧୀନତା ଦିବସ ପାଳନ ଏକ ସରକାରୀ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି । ଏ ଦିବସର ମହତ୍ତ୍ୱ ହେଲା ଏହା ଏକ ସଚରାଚର ଛୁଟି ଦିବସ । ଏଇଠି ପ୍ରଶ୍ନ ଉଠେ ଦେଶର ଏତେବଡ ଏକ ମହାନ ଦିବସର ମହତ୍ତ୍ୱ, ଏକ ଅମୃତବେଳାର ଅମୃତ ଅନୁଭବ ଦେଶବାସୀ କାହିଁକି ଉପଲବ୍ଧି କରିପାରୁନାହାନ୍ତି ?? ସ୍ୱାଧୀନତା ଦିବସ କଥା ଭାବି କାହିଁକି ଶିହରଣ ଖେଳିଯାଉନି ଜଣେ ସାଧାରଣ ଭାରତୀୟର ଦେହରେ ! ୭୭ବର୍ଷର ସ୍ୱାଧୀନତା ଦିବସ ପାଳନ ଅବସରରେ ଏ ନେଇ ଆତ୍ମସମୀକ୍ଷା ହେବା ଜରୁରୀ ।
ସ୍ୱାଧୀନତା ଦିବସ ପାଳନ କରାଯାଏ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ । ଇଂରେଜମାନେ ଏ ଦେଶ ସ୍ୱାଧୀନ ହେଲା ବୋଲି ଘୋଷଣା କରି ଚାଲିଗଲେ ଏ ଦେଶରୁ । ମାତ୍ର କି ପ୍ରକାର ସ୍ୱାଧୀନତା ଦେଇଗଲେ ଦେଶକୁ ? ଆମେ କେବଳ ଭୌଗୋଳିକ ସ୍ୱାଧୀନତା ପାଇଲୁ ଯାହା । କାରଣ ମାନସିକସ୍ତରରେ ଭାରତୀୟମାନେ କେବେ ପରାଧୀନ ନଥିଲେ । ତେଣୁ ସ୍ୱାଧୀନତା ପାଇବାର ପ୍ରଶ୍ନ ଉଠୁଛି କେଉଁଠି ? ଏ ଦେଶର ଅତି ସାଧାରଣ ନାଗରିକଟିଏ ମଧ୍ୟ ସଦାସର୍ବଦା ମହାବିଶ୍ୱର ଭାବନାରେ ଭାବିତ । କାରଣ ଯେତେବେଳେ ଯିଏ ବି ଆସିଛି ତାକୁ ଭାରତୀୟଟିଏ ଗ୍ରହଣ କରି ନେଇଛି । ଆର୍ଯ୍ୟମାନଙ୍କ ଭାରତୀୟ ଆଗମନ ସମୟରୁ ରହି ଆସିଛି ଏ ଧାରା ଓ ଆଗକୁ ବି ରହିଥିବ । ତେଣୁ ଭାରତୀୟର ସ୍ୱାଧୀନତା ଅପହରଣ କୌଣସି ଦେଶପକ୍ଷରେ ଅସମ୍ଭବ ବ୍ୟାପାର ।
ଦେଶବାସୀ ଇଂରେଜମାନଙ୍କ ଶାସନର ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ଆମେ ଯଦି ସ୍ୱାଧୀନତା କହୁ ତେବେ ସେ ପ୍ରକାର ସ୍ୱାଧୀନତା କେବେ ବି ଏ ଭାରତୀୟର ନଥିଲା କି ଆଗାମୀ ଦିନରେ କେବେ ଆସିବ ସେକଥା କହିହେବ ନାହିଁ । ଇଂରେଜମାନଙ୍କ ଆଗରୁ ରାଜାରାଜୁଡା, ଜମିଦାରମାନେ ଏ ଦେଶକୁ ଶାସନ କରୁଥିଲେ । ଦେଶବାସୀ ସେମାନଙ୍କ ହାତରେ ନିର୍ଯ୍ୟାତିତ ହେଉଥିଲେ । ରାଜାର ମନ ଅନୁଯାୟୀ ଦେଶ ଚାଲୁଥିଲା, ଦେଶବାସୀଙ୍କ ଇଚ୍ଛାନୁଯାୟୀ ନୁହେଁ । ଇଂରେଜମାନଙ୍କ ସମୟରେ ବି ସେହି ଅବସ୍ଥା ଅତୁଟ ରହିଲା, ଆଉ ଆଜି ଦେଶ ସ୍ୱାଧୀନ ହୋଇବି ଏକା ଅବସ୍ଥା ଦେଶର । ରାଜାରାଜୁଡା ଓ ଇଂରେଜ ଶାସକଙ୍କ ଜାଗା ନେଇଛନ୍ତି ନେତାମନ୍ତ୍ରୀମାନେ । ରାଜାଙ୍କ ଦରବାରର ପାତ୍ରମନ୍ତ୍ରୀ, ଅମାତ୍ୟ, ଇଂରେଜ ଅମଳର ସାହେବଙ୍କ ସ୍ଥାନ ନେଇଛନ୍ତି ଏବର ଦେଶୀ ବାବୁ । ସାଧାରଣ ଲୋକଟିର ସ୍ଥିତି ରହିଛି ଅପରିବର୍ତ୍ତିତ । ତେବେ କେମିତି କୁହାଯିବ ଏ ଦେଶର ନାଗରିକ ସ୍ୱାଧୀନ ବୋଲି ??
ଭାରତର ସ୍ୱାଧୀନତାକୁ ୭୬ ପୂରିି ୭୭ ଚାଲିବ । ଗଣତନ୍ତ୍ର ଏବେ ବୃଦ୍ଧ । ତଥାପି ଗଣତନ୍ତ୍ରରେ ଗଣଙ୍କର କୌଣସି ସ୍ଥିତି ନାହିଁ କହିଲେ ଚଳେ । ଏ ଗଣତନ୍ତ୍ର ଶାସକ, ଅମଲାଙ୍କର । ସରକାର ଏଠି ମାଲିକ, ରାଜା । ଲୋକେ ହେଲେ ପ୍ରଜା । ସରକାର ଦେଲେ ଲୋକେ ଖାଇବେ, ନଦେଲେ ଉପାସ ରହିବେ । ସରକାର ହାତଟେକି ଦେଉଛନ୍ତି ଟଙ୍କିକିଆ ଚାଉଳ, ଭତ୍ତା, ବିଭିନ୍ନ ସବ୍ସିଡିର ଅର୍ଥ । ବିଚରା ପ୍ରଜା ତଳେ ହାତପାତି ଏ ସବୁ ଗ୍ରହଣ କରୁଛି ଯେମିତି ଦିନେ ଗ୍ରହଣ କରୁଥିଲା ରାଜାଙ୍କଠାରୁ, ଇଂରେଜ ସାହିବଙ୍କ ଠାରୁ । କିଛି ବି ବଦଳିନି । କେବଳ ବଦଳିଛନ୍ତି ଶାସକଗୋଷ୍ଠୀ । ସମାଜ ଓ ସଂସ୍କୃତି ବୋଲି କିଛି ନାହିଁ । ସରକାର ହିଁ ସମାଜ । ସରକାର ହିଁ ବଜାର । ସରକାର ହିଁ ସଂସ୍କୃତି । ସରକାର ବାହାରେ ରହୁଥିବା ଲୋକମାନେ ସାଧାରଣ ଲୋକ । ସେମାନଙ୍କର କୌଣସି ଚିରସ୍ଥାୟୀ କ୍ଷମତା ଓ ଅଧିକାର ନାହିଁ । କେବଳ ପାଞ୍ଚ ବର୍ଷରେ ଥରେ ଭୋଟ ଦେବାକୁ ସେମାନଙ୍କୁ ଫୁସୁଲାଯାଏ, ଉତ୍କୋଚ ଓ ଧମକ୍ ଦିଆଯାଏ । ତା’ପର ପାଞ୍ଚ ବର୍ଷ ସେମାନେ ପ୍ରଜା । ଆଉ ସେମାନଙ୍କ କଥା କେହି ଶୁଣନ୍ତି ନାହିଁ ।
ବାରମ୍ବାର ଶାସକ ବଦଳୁଛନ୍ତି । ହେଲେ ଲୋକଙ୍କ ଭାଗ୍ୟ ବଦଳୁନାହିଁ । ସମଗ୍ର ଦେଶରେ ସ୍ୱଚ୍ଛତାର ଡିଣ୍ଡିମ ପିଟାଚାଲିଛି ମାତ୍ର ମଣିଷର ମନକୁ ସ୍ୱଚ୍ଛ କରିବ କିଏ, ଦେଶବାସୀଙ୍କ ଚରିତ୍ରକୁ ସ୍ୱଚ୍ଛ କରିବ ବା କିଏ ??? ଲାଞ୍ଚ ନଦେଲେ କୌଣସି କାମ ହେଉନି । ଦେଶର ବୟସ୍କ ନାଗରିକଟିକୁ ପ୍ରତିବର୍ଷ ଯାଇ ନିଜେ ବଞ୍ôଚଛି ବୋଲି ପ୍ରମାଣ ଦେବାକୁ ପଡୁଛି ସରକାର ଆଗରେ । ବାସ୍ତବରେ କ’ଣ ସେ ବଞ୍ଚିଛି ??? ଯେଉଁ ଦେଶରେ ପାଣି ପବନ ଉପଭୋଗ କରିବାକୁ କର ଦେବାକୁ ପଡୁଛି, ଯେଉଁଦେଶର ସଂସ୍କୃତି ତାଠାରୁ ତାର ଆତ୍ମା ଓ ଆତ୍ମଜମାନଙ୍କୁ ଛଡାଇ ନେଉଛି ସେଠି କେମିତି କହିବା ଏ ଦେଶ ସ୍ୱାଧୀନ ବୋଲି ।
ଦେଶ ବାସ୍ତବରେ ସ୍ୱାଧୀନ ହୋଇଛି, ପ୍ରଗତି କରୁଛି । ତେବେ ଏଇ ସତ୍ୟକୁ ଆମେ ଦେଶବାସୀଙ୍କୁ ଉପଲବ୍ଧି କରାଇ ପାରିନୁ । ଇଂରେଜ ଶାସନ ଅମଳର ତ୍ରାସ ଯେ ପୁରା ହଟିଯାଇଛି ସେ କଥା ଛାତିରେ ହାତ ଦେଇ କହିହେବନି । ଇଂରେଜମାନେ ଗଲାପରେ ଯେଉଁ କୋର୍ଟ ଟାଇ ପିନ୍ଧା ବାବୁଗୋଷ୍ଠୀଛାଡି ଦେଇ ଯାଇଛନ୍ତି ସେମାନେ ଗାଁଗହଳିର ଏକ କମନ୍ମ୍ୟାନକୁ ଭାରତର ନାଗରିକ ବୋଲି ବିଚାର କରନ୍ତି କି ? ଆଜି ସ୍ୱାଧୀନ ଭାରତର ଜଣେ ସାଧାରଣ ଲୋକ, ସେ ଯେତେବଡ ଜ୍ଞାନୀ ବା ବିଦ୍ୱାନଟିଏ ହେଉପଛେ ତା ନିଜ ଜିଲ୍ଲାର କଲ୍ଟେକରଙ୍କୁ ସିଧାସଳଖ ଦେଖା କରି ସହଜରେ ନିଜର ଅଭାବ ଅସୁବିଧା ଜଣାଇ ପାରିବ ? ଯଦି ବି ଦେଖାପାଏ କଲେକ୍ଟର ଜଣକ ତାକୁ ଦେଶର ଜଣେ ନାଗରିକ ଭାବି ଯଥୋଚିତ ସମ୍ମାନ ଦେବେ କି ? ଏ ଦେଶର ସ୍ୱାଧୀନ ନାଗରିକଟିଏ ଥାନା, କଚେରୀକୁ ଯିବାକୁ ଡ଼ରେ କାହିଁକି ? ଥାନାକୁ ଗଲେ ପୋଲିସ୍ ବାବୁଟି କେବେ ବି ତାକୁ ସୌଜନ୍ୟମୂଳକ ଭାବେ ଚୌକିଟିଏ ଦିଏ କି ? ତେବେ ଆମେ କେମିତି କହିବା ସ୍ୱାଧୀନ ??
ଜାତିରଜନକ ମହାତ୍ମାଗାନ୍ଧୀ କହିଥିଲେ ସ୍ୱାଧୀନଭାରତରେ ଯେଉଁଦିନ ମହିଳାଟିଏ ବିନା ଡ଼ରରେ ରାତି ଅଧରେ ରାସ୍ତାରେ ଯାଇପାରିବ ସେତେବେଳେ ଯାଇ କୁହାଯିବା ଦେଶ ସ୍ୱାଧୀନ ହୋଇଛି ବୋଲି । ଆଜି ନାରୀନିର୍ଯ୍ୟାତନା, ମହିଳାମାନଙ୍କ ପ୍ରତି ଅତ୍ୟାଚାର ଚରମ ସୀମାରେ । ଆମର ଶିକ୍ଷା ଆମକୁ ସ୍ୱାଧୀନତା କେମିତି ଅନୁଭବ କରାଯିବ ତାହା ଶିଖାଉ ନାହିଁ । ବରଂ ସବୁବେଳେ ପରାଧୀନହୋଇ ସୁଖସାଉଁଟିବାର କଳାଟି ଶିକ୍ଷା ଦେଉଛି । ଏସବୁ ହେଉଛି ଆମର ୭୪ବର୍ଷ ସ୍ୱାଧୀନତାର ଅନୁଭବ । ଏଇ ଅନୁଭବକୁ ସମୀକ୍ଷା କରି ଆମେ କେମିତି ଆଗକୁ ଯିବା ତାହା ବିଚାର କରିବାର ସମୟ ବୋଧହୁଏ ଉପସ୍ଥିତ ।