Spread the love

ପାକିସ୍ତାନରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍‌ ଏଠାରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୦ରୁ ଅଧିକ ବଗି ରେଳ ଧାରଣାରୁ ଓଲଟି ପଡ଼ିଥିବା କୁହାଯାଉଛି। ଦୁର୍ଘଟଣାରେ ପାଖାପାଖି ୮୦ ଜଣ ଯାତ୍ରୀ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନୀ ରେଲେଓ୍ଵର ଜଣେ ଅଧିକାରୀ କହିଛନ୍ତି, ଟ୍ରେନ୍‌ ଚାଳକ ବିଳମ୍ବରେ ବ୍ରେକ୍‌ ମାରିବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ଟି ସହାରା ରେଲେଓ୍ଵ ଷ୍ଟେସନର ଆଉଟର୍‌ ସିଗ୍ନାଲ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସେପଟେ ସିନ୍ଧ୍‌ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଆହତମାନଙ୍କୁ ତତ୍କାଳ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନଓ୍ଵାବଶାହର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ଏହି ଦୁର୍ଘଟଣା ଶାହଜାଦପୁର ଏବଂ ନଓ୍ଵାବଶାହ ମଧ୍ୟବର୍ତ୍ତୀ ସହାରା ରେଳ ଷ୍ଟେସନ ନିକଟରେ ଘଟିଛି। ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଟ୍ରେନ୍‌ରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ। ଆହତ ଯାତ୍ରୀମାନଙ୍କୁ ନଓ୍ଵାବଶାହର ପିପୁଲ୍ସ ମେଡିକାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ମୁତାବକ, ଦୁର୍ଘଟଣା ପରେ ଆଖାପାଖ ହସ୍ପିଟାଲଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *