Spread the love

ତାଲା ନିର୍ମାଣ ପାଇଁ ସାରା ଦେଶରେ ବେଶ୍‌ ଖ୍ୟାତ ଆଲିଗଡ଼ ସହର। ସହରର ଏହି ପରିଚୟକୁ ବଜାୟ ରଖିବା ପାଇଁ ଜଣେ ଦମ୍ପତି ଅନେକ ପରିଶ୍ରମ କରିଛନ୍ତି। ନିକଟରେ ଏହି ଦମ୍ପତି ଏକ ବିଶାଳକାୟ ତାଲା ଓ ୪ ଫୁଟ୍‌ର ଚାବି ତିଆରି କରିଛନ୍ତି, ଯାହାକି ଦେଶରେ ଚର୍ଚ୍ଚାରେ ବିଷୟ ହୋଇଛି।

ସେମାନଙ୍କ ଦ୍ୱାରା ତିଆରି ତାଲାର ଓଜନ ୪୦୦ କିଲୋ ଏବଂ ଚାବିର ଓଜନ ରହିଛି ୩୦ କିଲୋ। ଖାସ୍‌ କଥା ହେଲା, ବୃଦ୍ଧ ଦମ୍ପତି ଏହି ବିଶାଳ ତାଲାକୁ ଅଯୋଧ୍ୟାରେ ତିଆରି ରାମ ମନ୍ଦିରକୁ ଅର୍ପଣ କରିବାକୁ ଚାହୁଁଛନ୍ତି।

ଆଲିଗଡ଼ର ବାସିନ୍ଦା ସତ୍ୟ ପ୍ରକାଶ ଶର୍ମା ଓ ତାଙ୍କ ପତ୍ନୀ ରୁକ୍ମିଣୀ ଦେବୀ ଏହି ତାଲାକୁ ଅଯୋଧ୍ୟା ରାମ ମନ୍ଦିର ପାଇଁ ସ୍ୱଇଚ୍ଛାରେ ତିଆରି କରିଛନ୍ତି। ୪୦୦ କିଲୋ ଓଜନର ଏହି ତାଲାକୁ ବିଶ୍ୱର ସବୁଠାରୁ ବଡ଼ ତାଲା ବୋଲି ମଧ୍ୟ କୁହାଯାଇପାରିବ। ତାଲାକୁ ତିଆରି କରିବାରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬ ମାସ ମଧ୍ୟରେ ଦମ୍ପତି ଏହାକୁ ତିଆରି କରିଛନ୍ତି।

ସତ୍ୟ ପ୍ରକାଶ ପୂର୍ବରୁ ମଧ୍ୟ ଏକ ଅର୍ଡରରେ ୩୦୦ କିଲୋ ଓଜନର ଏକ ବଡ଼ ତଲା ତିଆରି କରିଥିଲେ। ପତ୍ନୀ ରୁକ୍ମିଣୀ ଦେବୀ କୁହନ୍ତି, ରାମ ମନ୍ଦିର ପାଇଁ ତାଲା ତିଆରି କରିବାକୁ ତାଙ୍କର ଇଚ୍ଛା ଥିଲା। ଏଥିପାଇଁ ସେମାନେ ୪୦୦ କିଲୋ ଓଜନର ଏହି ବିଶାଳ ତାଲା ତିଆରି କରିଛନ୍ତି।

ସେ କହିଛନ୍ତି ଯେ ସ୍ୱାମୀଙ୍କର ହାର୍ଟ ସମସ୍ୟା ଅଛି। ତେଣୁ ଏହାକୁ ତିଆରି କରିବାରେ ଅଧିକ ସମୟ ଲାଗିଥିଲା। ତାଲାଟିକୁ ସେମାନେ ରାମ ମନ୍ଦିରକୁ ଭେଟି ଦେବାକୁ ଚାହୁଁଛନ୍ତି। ବିଶାଳ ତାଲାକୁ ଦେଖି ଲୋକେ ସେମାନଙ୍କ ସହିତ ଫଟୋ ଓ ଭିଡିଓ ନେଉଛନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *