ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଅଞ୍ଜୁ କେବେ ଭାରତ ଫେରିବେ ଓ ତାଙ୍କର କ’ଣ ସତରେ ପାକିସ୍ତାନ ନସରୁଲ୍ଲାହଙ୍କ ସହ ବିବାହ ସରିଛି ଇତ୍ୟାଦି ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ଦ୍ବନ୍ଦ୍ବ ରହିଛି। ଏହି ଦ୍ବନ୍ଦ୍ବକୁ ନସରୁଲ୍ଲାହ ସ୍ପଷ୍ଟ କରି ଦେଇଛନ୍ତି।
ଏହି କ୍ରମରେ ନସରୁଲ୍ଲାହ ଅଞ୍ଜୁଙ୍କୁ ବିବାହ କରିଛନ୍ତି କି, କେବେ ଅଞ୍ଜୁ ଭାରତ ଫେରିବେ ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଅଞ୍ଜୁ ଅଗଷ୍ଟ ୪ ତାରିଖରେ ଭାରତ ଫେରି ଯାଇଥାଆନ୍ତେ। କିନ୍ତୁ ସେଠାରେ ତାଙ୍କ ପ୍ରତି ବିପଦ ରହିଛି। ତାଙ୍କ ପରିବାରକୁ ଅନେକ ନିର୍ଯାତନା ଦିଆଯାଉଛି। କେମିତି ଲୋକ ସେଠାରେ ଅଛନ୍ତି, ମୁଁ ବୁଝି ପାରୁନାହିଁ।। ଯେପର୍ଯ୍ୟନ୍ତ ଭାରତରେ ତାଙ୍କର ସୁରକ୍ଷା ସୁନିଶ୍ଚିତ ହୋଇନାହିଁ, ସେ ଏଠାରେ ହିଁ ରହିବେ।
ଅଞ୍ଜୁଙ୍କ ଭିସା ବୃଦ୍ଧିକୁ ନେଇ ନସରୁଲ୍ଲାହ କହିଛନ୍ତି, ‘ଅଞ୍ଜୁଙ୍କ ଭିସାର ଅବଧି ୨ମାସ ଆହୁରି ବଢ଼ି ଯାଇଛି। ତେଣୁ ପାକିସ୍ତାନରେ ଅଞ୍ଜୁ ମୋ ସହ ଏବେ ୩ରୁ ୪ମାସ ରହିବେ। ଆମର ବିବାହ ହୋଇସାରିଛି। ନିକଟରେ ଅଞ୍ଜୁଙ୍କୁ ପାକିସ୍ତାନ ନାଗରିକତା କେମିତି ମିଳିବ ସେଥିପାଇଁ ଆମେ ଦୁହେଁ ଇସଲାମାବାଦ ଯାଇଥିଲୁ।
ଅଞ୍ଜୁଙ୍କ ସ୍ବାମୀ ମାମଲା ରୁଜୁ କରିଥିବା ଘଟଣାକୁ ନେଇ ନସରୁଲ୍ଲାହ କହିଛନ୍ତି, ‘କିଏ କ’ଣ କରୁଛି ମୋତେ ତାହା ଫରକ ପଡେ ନାହିଁ। କିଏ କ’ଣ କରୁଛି ତାକୁ କରିବାକୁ ଦିଏ। ସମସ୍ତଙ୍କ କଥାରେ ଯଦି ମୁଁ ମୁଣ୍ଡ ପୂରାଇବି ମୋ ପରିବାରକୁ ଦେଖି ପାରିବି ନାହିଁ। ମୁଁ ମୋ କାମରେ ଏବେ ବ୍ୟସ୍ତ ଅଛି।’
ନସରୁଲ୍ଲାହଙ୍କ ଠାରୁ ଏଭଳି ପ୍ରତିକ୍ରିୟା ପାଇବା ପରେ ଅଞ୍ଜୁ ଭାରତ ଫେରବାକୁ ନେଇ କରିଥିବା ସମସ୍ତ ପ୍ରତିଶ୍ରୃତି ଭାଙ୍ଗି ଦେଇଛନ୍ତି ବୋଲି ଲୋକେ କହୁଛନ୍ତି।