Spread the love

ହରିଆଣାର ନୁହ୍‌ରେ ଆରମ୍ଭ ହୋଇଥିବା ସାଂପ୍ରଦାୟିକ ଦଙ୍ଗାର ପ୍ରଭାବ ଦିଲ୍ଲୀ ଏନସିଆର୍‌ରେ ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ ଲୋକ ସାଂପ୍ରଦାୟିକ ହିଂସା ବିରୋଧରେ ଦିଲ୍ଲୀରେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି।

ଏନସିଆର ବ୍ୟତୀତ ଆଉ ୨୩ଟି ସ୍ଥାନରେ ମଧ୍ୟ ସେମାନେ ପ୍ରତିବାଦ ସଭା ଆୟୋଜନ କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ହିଂସାକୁ ଆହୁରି ଉସକାଇବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭେଲାନ୍ସକୁ ନିଶ୍ଚିତ କରିବା ପାଇଁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିକ୍ଷୋଭ ଶୋଭାଯାତ୍ରା ବେଳେ ଯେମିତି କୌଣସି ହିଂସା ଘଟିବ ନାହିଁ କିମ୍ବା ଏଥିରେ ସାମିଲ ଥିବା ଲୋକମାନେ କୌଣସି ଘୃଣା ସୃଷ୍ଟି କରିବା ଭଳି ବୟାନ ଦେବେ ନାହିଁ, ସେକଥା ନିଶ୍ଚିତ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପ୍ରଶାସନକୁ କହିଛନ୍ତି। ଏହାବାଦ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀ ମୁତୟନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

କୋର୍ଟ କହିଛନ୍ତି, “ଆମର ଆଶା ଓ ବିଶ୍ୱାସ ଅଛି ଯେ ରାଜ୍ୟ ସରକାର ପୁଲିସ୍‌ ପ୍ରଶାସନ ସହ ମିଶି ଶୋଭାଯାତ୍ରା ବେଳେ କୌଣସି ସଂପ୍ରଦାୟ ବିରୋଧରେ ଯେମିତି ଘୃଣା ସୃଷ୍ଟି କରିବା ଭଳି ବୟାନ କେହି ନ ଦେବେ, ସେକଥାକୁ ସୁନିଶ୍ଚିତ କରିପାରିବେ। ଏଥିସହ ସର୍ବସାଧାରଣ ସମ୍ପତ୍ତି ବିରୋଧରେ ଯେମିତି ହିଂସା ସୃଷ୍ଟି ନ ହେବ, ତା’ ଉପରେ ମଧ୍ୟ ନଜର ରଖିବେ।

ଯେତେବେଳେ ଦରକାର ପଡ଼ିବ ଅତରିକ୍ତ ପୁଲିସ୍‌ ଫୋର୍ସ କିମ୍ବା ଅର୍ଦ୍ଧସାମରିକ ମୁତୟନ କରିବେ। ସେହିପରି ଅଧିକାରୀମାନେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇ ପାରିବେ କିମ୍ବା ସମ୍ବେଦନଶୀଳ ଅଞ୍ଚଳରେ ଭିଡିଓ ରେକର୍ଡିଂ କରିବେ। ସିସିଟିଭି ଫୁଟେଜକୁ ସଂରକ୍ଷିତ କରି ରଖାଯିବ।”

ହରିଆଣା ହିଂସା ବିରୋଧରେ ଭିଏଚ୍‌ପି ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ଏନସିଆର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ଆବେଦନକାରୀ ସିୟୁ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିକ୍ଷୋଭ ବେଳେ ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏହାର ଜରୁରୀ ଶୁଣାଣି ପାଇଁ ଶ୍ରୀ ସିଂହ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ ଜଷ୍ଟିସ ବୋଷ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ଆବେଦନ ଶୁଣାଣି କରୁଥିବାରୁ ଶ୍ରୀ ସିଂହଙ୍କୁ ଲଞ୍ଚ ଟାଇମ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା।

ଲଞ୍ଚ ଟାଇମରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଆବେଦନକୁ ଗ୍ରହଣ କରିଥିଲେ। ଏହାପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସ୍‌ଭି ଭାଟ୍ଟିଙ୍କ ଖଣ୍ଡପୀଠକୁ ଏହାର ଶୁଣାଣି ପାଇଁ କହିଥିଲେ। ଏହାପରେ ଏହି ଖଣ୍ଡପୀଠ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *