ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଚିନ ବିଷ୍ଣୋଇଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଜରବାଇଜାନ ଦେଶରୁ ଦିଲ୍ଲୀ ଆଣିଛି। ସ୍ପେଶାଲ୍ ସେଲ୍ର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ର ଜଣେ ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ସମେତ ୪ ଅଧିକାରୀଙ୍କ ଏକ ଟିମ୍ ରବିବାର ଆଜରବାଇଜାନ ଯାଇଥିଲେ। ଲରେନ୍ସ ବିଷ୍ଣୋଇଙ୍କ ଭଣଜା ସଚିନଙ୍କୁ ନିକଟରେ ଆଜରବାଇଜାନରେ ସେଠାକାର ଏଜେନ୍ସି ଗିରଫ କରିଥିଲା।
ସଚିନ୍ଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ କଡ଼ା ସୁରକ୍ଷା ମଧ୍ୟରେ ସ୍ପେଶାଲ୍ ସେଲ୍ କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ହାଜର କରାଇବ ଏବଂ ଏହାପରେ ତାଙ୍କୁ ରିମାଣ୍ଡରେ ନେବ। ୨୦୨୦ ଜୁଲାଇରୁ ସଚିନଙ୍କୁ ଆଜରବାଇଜାନରେ ଡିଣ୍ଟେସନ କେନ୍ଦ୍ରରେ ରଖାଯାଇଥିଲା।
ସଚିନ ବିଷ୍ଣୋଇ ଭାରତରେ ରହି ଅନେକ ଆପରାଧିକ ଘଟଣାରେ ସମ୍ପୃକ୍ତ ଥିଲେ। ସେ ହିଁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଘଟଣା ପୂର୍ବରୁ ସଚିନ ଦିଲ୍ଲୀରୁ ଏକ ନକଲି ପାସପୋର୍ଟ ତିଆରି କରି ଆଜରବାଇଜାନ ଖସି ପଳାଇଥିଲେ। ମୁସେୱାଲାଙ୍କ ହତ୍ୟା ପରେ ସଚିନ ଇଣ୍ଟରନେଟ୍ ମିଡିଆରେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲେ।
ସୂଚନାଥାଉ କି, ୨୦୨୨ ମେ’ ୨୯ରେ ପଞ୍ଜାବର ମନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା ସଚିନ ବିଷ୍ଣୋଇ ହତ୍ୟା ପୂର୍ବରୁ ଅର୍ଥାତ୍ ୨୦୨୨ ଏପ୍ରିଲ ୨୧ ପର୍ଯ୍ୟନ୍ତ ଭାରତରେ ଥିଲେ।