Spread the love

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା’ ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ମାନସିକ ପୁର୍ଣ କରୁଥିବା ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା’ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହା ସ୍ତନ ପିଠ ହୋଇଥିବାରୁ ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ। ଏହି ପୀଠ ଶାବରୀ, ବୈଦିକ, ବୌଦ୍ଧ, ବୈଷ୍ଣବୀ, ପରମ ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।

କିମ୍ବଦନ୍ତି ଅନୁସାରେ, ଥରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କଲେ ଏବଂ ସମସ୍ତ ଦେବଦେବୀଙ୍କୁ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କଲେ । କିନ୍ତୁ କନ୍ୟା ସତୀ ଦକ୍ଷଙ୍କ ଇଚ୍ଛା ବିରୁଦ୍ଧରେ ଶିବଙ୍କୁ ବିବାହ କରିଥିବାରୁ ଦକ୍ଷ ଝିଅ ଜ୍ୱାଇଁଙ୍କୁ ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ । ମହର୍ଷି ନାରଦଙ୍କଠାରୁ ପିତାଙ୍କ ଯଜ୍ଞର ବିରାଟ ଆୟୋଜନ ଶୁଣି ଶିବଙ୍କ ବାରଣ ସତ୍ତ୍ୱେ ମଧ୍ୟ ବାପଘରକୁ ଯାଇ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ ସତୀ । ଯଜ୍ଞସ୍ଥଳରେ ପିତା ସତୀଙ୍କୁ ଶିବଙ୍କ ବିଷୟରେ ନାନା କଟୁକଥା କହିଲେ । ଫଳରେ ସତୀ ସ୍ୱାମୀ ଶିବଙ୍କ ଅପମାନକୁ ସହି ନପାରି ଯଜ୍ଞକୁଣ୍ଡରେ ଝାସ ଦେଲେ । ଏହି ଦୁଃସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହେଲେ, ଅବିଳମ୍ବେ ଯଜ୍ଞସ୍ଥଳକୁ ଯାଇ ଦକ୍ଷଙ୍କ ଶିର ଛେଦନ କରିବା ସହିତ ଯଜ୍ଞସ୍ଥଳକୁ ଧ୍ୱଂସ ବିଧ୍ୱଂସ କରିଦେଲେ । ସତୀଙ୍କର ସେହି ଦଗଧୀଭୂତ ଶରୀରକୁ କାନ୍ଧରେ ପକାଇ ଲକ୍ଷ୍ୟହୀନଭାବରେ ଘୂରିବୁଲିଲେ ଶିବ । ଶିବଙ୍କ ବିନା ସୃଷ୍ଟି ପରିଚାଳନା ଅସମ୍ଭବ ଜାଣି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରଦ୍ୱାରା ଶିବଙ୍କ କାନ୍ଧରେ ଥିବା ସତୀଙ୍କ ଦଗଧୀଭୂତ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ସତୀଙ୍କ ପିଣ୍ଡ ୫୧ଟି ସ୍ଥାନରେ ପଡ଼ିଥିଲା ଓ ୫୧ଟି ସ୍ଥାନରେ  ଶକ୍ତିପୀଠ ସୃଷ୍ଟି ହୋଇଥିଲା । ସତୀଙ୍କ ବକ୍ଷୋଜ ତାରା ତାରିଣୀ ପୀଠରେ ପଡ଼ିଥିଲା । ତେଣୁ ସତୀଙ୍କ ବକ୍ଷୋଜରୁ ତାରା ତାରିଣୀ ଭଉଣୀ ଦ୍ୱୟ ସୃଷ୍ଟିହୋଇ ଥିଲେ ।

ଅନ୍ୟ ଏକ କିମ୍ବଦନ୍ତି ଅନୁସାରେ, ମାଆ ତାରା ତାରିଣୀ ବ୍ରହ୍ମର୍ଷି ବଶିଷ୍ଠଙ୍କ ଇଷ୍ଟଦେବୀ । ଥରେ ବଶିଷ୍ଠ ଏକ ଅଭିପ୍‌ସା ପୂରଣ ପାଇଁ ଦେବୀଦ୍ୱୟଙ୍କୁ ଆବାହନ କଲେ, ହେଲେ ଦେବୀଦ୍ୱୟ ଏଥିପ୍ରତି ଉଦାସୀନତା ଦେଖାଇଲେ । ଫଳରେ ବ୍ରହ୍ମର୍ଷି ରୁଷ୍ଟହୋଇ ଦେବୀଦ୍ୱୟଙ୍କୁ ଅପୂଜା ରହିବାକୁ ଅଭିଶାପ ଦେଲେ । କିନ୍ତୁ ଦେବୀଦ୍ୱୟ ଏଥିପାଇଁ ଅନୁତାପ କରିବାରୁ ବଶିଷ୍ଠ ଶାନ୍ତ ହେଲେ ଏବଂ କହିଲେ, କଳିଯୁଗର ମଧ୍ୟଭାଗରେ ତାଙ୍କର ଜ୍ୟେଷ୍ଠଭଗ୍ନୀ ଋଷିକୁଲ୍ୟା ନଦୀ ତୀରରେ ମୋର ମାନସ ପୁତ୍ର ବସୁ ପ୍ରହରାଜଙ୍କ ଘରେ ତୁମେଦୁହେଁ କିଛିଦିନ ଲାଳିତ ପାଳିତ ହେବାପରେ ତାରାତାରିଣୀ ପର୍ବତର ଶୀର୍ଷଦେଶରେ ପୂଜାପାଇବ ଓ ଶାପମୁକ୍ତ ହେବ ।

ପୁରାଣ ଓ ତନ୍ତ୍ର ଶାସ୍ତ୍ର ମତରେ ପୂର୍ଣ୍ଣଗିରି ପର୍ବତ ବହୁ ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଥିଲା । ସବୁଜ ବନାନୀ ଭିତରେ ଏହି ଜନଶୂନ୍ୟ ସ୍ଥାନଟି ତନ୍ତ୍ର ସାଧନ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ଦୃଷ୍ଟିରୁ ଏହା ଏକ ତନ୍ତ୍ର ସାଧନାର ପୀଠ ଥିଲା ବୋଲି ପ୍ରମାଣିତ କରେ । ବର୍ତ୍ତମାନ ମନ୍ଦିର ଦେହରେ ଦେବୀଙ୍କ ଦଶମହାବିଦ୍ୟା ତଥା ଷୋଡ଼ଶୀ, ବଗଳା, ଛିନ୍ନମସ୍ତା, ଧୁମାବତୀ, ମାତଙ୍ଗୀ, କମଳା, ଭୁବନେଶ୍ୱରୀ, ଭୈରବୀ ଓ କାଳୀଙ୍କର ପ୍ରସ୍ତର ମୂର୍ତ୍ତି ରହିଛି ।

Leave a Reply

Your email address will not be published. Required fields are marked *