ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲର ନୂଆ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ପାଇଁ ବ୍ରଡକାଷ୍ଟ ଇଞ୍ଜିନିୟର ଭାବରେ କାମ କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଇଆନ୍ ୱିଲିୟମ୍ସ ଲଙ୍ଗଫୋର୍ଡ (୭୬)। ଯିଏ ମାର୍ଚ୍ଚ ୨୪ ତାରିଖରୁ ଆଇପିଏଲ୍ ମ୍ୟାଚ୍ କଭରେଜ୍ ପାଇଁ ଟ୍ରାଇଡେଣ୍ଟ ହୋଟେଲରେ ରହିଥିଲେ। ରିପୋର୍ଟ ଅନୁସାରେ, ୨୯ ମାର୍ଚ୍ଚରେ ମ୍ୟାଚ୍ ପରେ ସେ ତାଙ୍କ ରୁମ୍ କୁ ଫେରିଆସିଥିଲେ। ୩୦ ମାର୍ଚ୍ଚରେ ରିସେପ୍ସନରୁ ତାଙ୍କ ଫୋନକୁ କଲ୍ ଆସିଥିଲା। ହେଲେ ସେ ଫୋନ୍ ଉଠାଇ ନଥିଲେ। ପରେ ହୋଟେଲ କର୍ମଚାରୀ ତାଙ୍କ ରୁମ୍ ରେ ପହଞ୍ଚିବା ପରେ ତାଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ମୁମ୍ବାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।