Spread the love

ରାଜସ୍ଥାନରେ ପୂର୍ବତନ ଆରଏଲପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ) ନେତ୍ରୀ ସୁମନ ବେନିୱାଲଙ୍କୁ ତାଙ୍କ ସ୍ୱାମୀ ରମେଶ ବେନିୱାଲ ପଥରରେ ଛେଚି ହତ୍ୟା କରିଛନ୍ତି। ଯୋଧପୁର-ପୂର୍ବ ଡିସିପି ଅମୃତା ଦୁହନ ଘଟଣାର ଖୁଲାସା କରି କହିଛନ୍ତି ଯେ ସ୍ୱାମୀଙ୍କୁ ଖାଦ୍ୟ ଦେବାକୁ ସୁମନ ମନା କରିଦେଇଥିଲେ, ଯାହାକୁ ନେଇ ଅଭିଯୁକ୍ତ ରାଗିଯାଇଥିଲେ। ହତ୍ୟା ପରେ ଅଭିଯୁକ୍ତ ରାତିସାରା ପତ୍ନୀଙ୍କ ମୃତଦେହ ପାଖରେ ବସିରହିଥିଲେ। ଏହି ସମୟରେ ସେ ତାଙ୍କ ଭିଣୋଇଙ୍କୁ କଲ୍‌ କରି ନିଜର ଦୋଷ ସ୍ୱୀକାର କରିଥିଲେ।

ଏହି ଘଟଣା ଯୋଧପୁରର ମାତା କା ଥାନ ଅଞ୍ଚଳର ବୋଲି ଡିସିପି କହିଛନ୍ତି। ଶୁକ୍ରବାର ରାତିରେ ଯୋଧପୁରରେ ରହୁଥିବା ବେନିୱାଲ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଅତ୍ୟନ୍ତ ରାଗିଯାଇ ରମେଶ ପତ୍ନୀଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ରାତିସାରା ମୃତ ପତ୍ନୀଙ୍କ ପାଖରେ ବସିରହିଥିଲେ।

ହତ୍ୟା ସମ୍ପର୍କରେ ସେ ନିଜ ଭିଣୋଇଙ୍କୁ ଜଣାଇଥିଲେ। ବିଳମ୍ବିତ ରାତିରେ ଭିଣୋଇଙ୍କ ସହ ଅନ୍ୟ ସମ୍ପର୍କୀୟମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ। ହେଲେ ଅଭିଯୁକ୍ତ କବାଟ ଖୋଲିବାକୁ ମନା କରିଦେଇଥିଲେ। ଏହାପରେ ଘର ମାଲିକ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ସେ କବାଟ ଖୋଲିଥିଲେ।

ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ପଥରକୁ ମଧ୍ୟ ଜବତ କରିଛି। ମୃତା ସୁମନ ବେନିୱାଲ ଆର୍‌ଏଲ୍‌ପିର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ଥିଲେ।

Leave a Reply

Your email address will not be published. Required fields are marked *