ନୂଆଦିଲ୍ଲୀ: ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ବଡ଼ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ପରେ ଜ୍ୟୋତିଙ୍କ ଶାଶୁଘରଲୋକଙ୍କ ଚିନ୍ତା ବଢ଼ି ଯାଇଛି। ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ କ୍ରମେ ଜ୍ୟୋତିଙ୍କ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କଲେ ଜ୍ୟୋତିଙ୍କ ସ୍ବାମୀ ଆଲୋକ ଅସୁବିଧାରେ ପଡ଼ି ପାରନ୍ତି ବୋଲି କୁହାଯାଉଛି।
ଜ୍ୟୋତିଙ୍କ ବଡ଼ ଯାଆ ନିଜର ସ୍ବାମୀଙ୍କ ସମେତ ଦିଅର ଆଲୋକ ମୌର୍ଯ୍ୟ ଓ ଶାଶୁ-ଶ୍ବଶୁରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଶୁଭ୍ରା ମୌର୍ଯ୍ୟ ଅଭିଯୋଗ କରିଛନ୍ତି କି, ମୋର ସ୍ବାମୀ ବିବାହ ସମୟରେ କହିଥିଲେ ସେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଅଧିକାରୀ ଅଛନ୍ତି। କିନ୍ତୁ ପରେ ଜଣାପଡ଼ିଲା କି ସେ ମିଛ କହିଛନ୍ତି। ବାସ୍ତବରେ ସେ ଜିଏସଟି ବିଭାଗରେ ଷ୍ଟେନୋଗ୍ରାଫର ପଦରେ ପ୍ରୟାଗରାଜରେ ନିୟୋଜିତ ଅଛନ୍ତି।
ମୁଁ ଯୌତୁକ ବାବଦକୁ ୫ଲକ୍ଷ ନଗଦ ଟଙ୍କା, ୫ଲକ୍ଷର ଗହଣା ଓ କାର ସମେତ ଅନେକ ଜିନିଷ ପତ୍ର ଆଣିଥିଲି। ଏହାପରେ ବି ବିବାହ ପରେ ମୋତେ ଯୌତୁକ ପାଇଁ ଶାଶୁଘର ଲୋକ ବହୁତ ହଇରାଣ କରିଛନ୍ତି। ଏମିତି କି ଟଙ୍କା ପାଇଁ ମୋତେ ମାଡ଼ ବି ମାରିଛନ୍ତି। ଅନେକ ଥର ଏହି ଘଟଣାକୁ ନେଇ ଅଭିଯୋଗ କରିଥିଲେ ହେଁ ମାମଲା ରୁଜୁ ହୋଇ ପାରି ନଥିଲା। କିଛିଦିନ ହେବ ସୋସିଆଲ ମିଡିଆରେ ମୁଁ ମୋର ଯନ୍ତ୍ରଣା ବଖାଣିବା ପରେ ପୁଲିସ ଆକସନ ନେଇ ମାମଲା ରୁଜୁ କରିଛି।
ଶୁଭ୍ରା ମୌର୍ଯ୍ୟ ବିନୋଦ କୁମାର ମୌର୍ଯ୍ୟଙ୍କ ସ୍ତ୍ରୀ। ସେ ଦେବୀ ନଗର ମୀରା ପଟ୍ଟି ପ୍ରୟାଗରାଜରେ ବସବାସ କରୁଥିବା ଜଣାପଡ଼ିଛି।