ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ନେତୃତ୍ୱ କ୍ଷେତ୍ରରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସନ୍ତା ୩୦ତାରିଖରେ ସମ୍ଭାଳିବେ କମାଣ୍ଡ । ବର୍ତ୍ତମାନ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଜେନେରାଲ ଧୀରଜ ସେଠ ।
ଆସନ୍ତା ୩୦ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅବସର ପରେ ଧୀରଜ ସେଠ୍ ଆନୁଷ୍ଠାନିକ ଭାବେ ଜେନେରାଲ ପଦବୀ ଗ୍ରହଣ କରିବେ । ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଗତ ଏପ୍ରିଲରୁ ଭାରତୀୟ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ଛାତ୍ର ଧୀରଜ ସେଠଙ୍କର ଭାରତୀୟ ସେନାରେ ପ୍ରାୟ ଚାରି ଦଶନ୍ଧି ଅଭିଜ୍ଞତା ରହିଛି । ସେ ବେଶ୍ ଜଣାଶୁଣା ଏବଂ ପ୍ରତିଷ୍ଠିତ ଆର୍ମୋର୍ଡ କର୍ପସର ଜଣେ ଅତି ଦକ୍ଷ ଅଫିସର । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ, ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ, XXI ଷ୍ଟ୍ରାଇକ୍ କୋର ଏବଂ ଦିଲ୍ଲୀ ଏରିଆ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିର ନେତୃତ୍ୱ ନେଇଛନ୍ତି । ସେ ଦକ୍ଷତାର ସହ ଅପରେସନ ସିନ୍ଦୂରରେ ମଧ୍ୟ ସଫଳ ପରିଚାଳନା କରିଥିଲେ ।
ନୂଆ ସେନାମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ ଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧, ୨୦୨୮ ପର୍ଯ୍ୟନ୍ତ ରହିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ତାଙ୍କ ନେତୃତ୍ୱରେ ଭାରତୀୟ ସେନାର ବିଭିନ୍ନ କ୍ଷେତ୍ରରେ ବଡ଼ ସଂସ୍କାର ଦେଖିବାକୁ ମିଳିବ । ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି ଭାରତର ପ୍ରତିରକ୍ଷା ଶକ୍ତିକୁ ଆହୁରି ମଜବୁତ କରିବା । ସେନା ମଧ୍ୟରେ ଡିଜିଟାଲ୍ ଏବଂ ନୂତନ ଜ୍ଞାନକୌଶଳ ସାମରିକ ଉପକରଣର ବ୍ୟାପକ ପ୍ରୟୋଗ କରିବା କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଭାରତୀୟ ସେନାକୁ ବର୍ତ୍ତମାନର ଆଞ୍ଚଳିକ ଓ ଭୂ-ରାଜନୈତିକ ପରିସ୍ଥିତିରେ ଆହୁରି ସୁଦୃଢ଼ ନେତୃତ୍ୱ ପ୍ରଦାନ କରିବ ।