Spread the love

ପୁଣିଥରେ ମଧ୍ୟପ୍ରଦେଶରେ ଜଣେ ଦଳିତଙ୍କୁ ଦିଆଯାଇଛି ନିର୍ଯାତନା। ଅଲଗା ଜାତିର ଜଣେ ଲୋକ ଦଳିତ ବ୍ୟକ୍ତିଙ୍କ ମୁହଁ ଓ ଦେହରେ ମଣିଷ ମଳ ବୋଳି ସର୍ବସମ୍ମୁଖରେ ଦଣ୍ଡ ଦେଇଛି।

ଏହି ଦଳିତ ଜଣଙ୍କ ଗ୍ରୀସ ଲାଗିଥିବା ହାତରେ ହଠାତ୍‌ ଅଲଗା ଜାତିର ଜଣେ ବ୍ୟକ୍ତିଙ୍କୁ ଛୁଇଁ ଦେବାରୁ ତାଙ୍କ ସହ ଏପରି ଅମାନବୀୟ କାଣ୍ଡ ଘଟିଛି। ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏହି ଘଟଣା ଘଟିଛି।

କିଛି ଦିନ ତଳେ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପୂରା ଦେଶରେ ବେଶ ତମ୍ଭିତୋଫାନ ହୋଇଥିଲା। ଏବେ ପୁଣି ଜଣେ ଦଳିତଙ୍କୁ ସେହି ମଧ୍ୟପ୍ରଦେଶରେ ନିର୍ଯାତନା ଦିଆଯାଇଛି। ପୀଡ଼ିତଙ୍କ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ଅଭିଯୁକ୍ତ ରାମକ୍ରିପାଲ ପଟେଲ ଓବିସି ସଂପ୍ରଦାୟର। ତା’ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ପୀଡ଼ିତ ଦଶରଥ ଅହିରୱାର ଶନିବାର ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ,ବିକାଉର ଗାଁ ପଞ୍ଚାୟତର ଗୋଟିଏ ଡ୍ରେନ କାମରେ ସେ ନିୟୋଜିତ ହୋଇଥିଲେ।

ନିର୍ମାଣ କାମ ଚାଲିଥିବା ବେଳେ ନିଟସ୍ଥ ହ୍ୟାଣ୍ଡ ପମ୍ପରେ ରାମକ୍ରିପାଲ ଗାଧୋଉଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦଶରଥଙ୍କ ଗ୍ରୀସ ଲଗା ହାତ ତାଙ୍କ ଦେହରେ ବାଜି ଯାଇଥିଲା। ବାସ୍‌ ଏତିକିରେ ସେ ରାଗି ଯାଇଥିଲେ।

ସେ ହ୍ୟାଣ୍ଡ ପମ୍ପ ନିକଟରେ ପଡ଼ିଥିବା ମଗରେ ମଣିଷ ମଳ ଆଣିବା ସହ ଏହାକୁ ଦଶରଥଙ୍କ ଦେହ ଠାରୁ ଆରମ୍ଭ କରି ମୁହଁ ଓ ମୁଣ୍ଡରେ ଢାଳି ଦେଇଥିଲା। ପଟେଲ ତାଙ୍କୁ ଜାତିଗତ ଆକ୍ଷେପ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଘଟଣା ପରେ ଦଶରଥ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ। ହେଲେ ପଞ୍ଚାୟତ ଘଟଣାର ସମାଧାନ କରିବା ପରିବର୍ତ୍ତେ ତାଙ୍କ ଉପରେ ୬୦୦ ଟଙ୍କାର ଫାଇନ ଲାଗୁ କରିଥିଲା।

ଏସ୍‌ଡିପିଓ ମନମୋହନ ସିଂହ ବାଘେଲ କହିଛନ୍ତି, “ରାମକ୍ରିପାଲ ପଟେଲ ନାଁରେ ଆଇପିସିର ୨୯୪,୫୦୬ ଓ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ବଳରେ ମାମଲା ହୋଇଛି। ଅଭିଯୁକ୍ତ ଓ ପୀଡ଼ିତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ।”

Leave a Reply

Your email address will not be published. Required fields are marked *