Spread the love

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମାସର ଅଧିପତି ତେଣୁ ଏହାକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଇଥାଏ । ତେବେ କଣ ଆପଣ ଜାଣନ୍ତି କି ଶ୍ରୀମନ୍ଦିର ଭିତରେରେ ମା ବାଟ ମଙ୍ଗଳାଙ୍କ ଆଗ ସାମନା ରେ ଶ୍ରୀ ବରାହ ପୁରୁଷୋତ୍ତମଙ୍କ ମନ୍ଦିର ରହିଛି । କେବଳ ମଳ ମାସରେ ହିଁ ଶ୍ରୀ ବରାହ ଓ ପୁରୁଷୋତ୍ତମ ଠାକୁର ପୂଜା ପାଇଥାନ୍ତି ଓ ଅନ୍ୟ ସମସ୍ତ ଦିନ ସେହି ମନ୍ଦିର ବନ୍ଦ ରହିଥାଏ । ମଳ ମାସର କେବଳ ଦ୍ୱାଦଶୀ ତିଥିରେ ଏହି ମନ୍ଦିରରେ ଅମାଲୁ ଓ କ୍ଷୀରି ଭୋଗ ହୁଏ ବାକି ଅନ୍ୟଦିନ ଗୁଡିକ କେବଳ ଫଳଭୋଗ ହେଇଥାଏ ।

ବର୍ଷସାରା ଏହି ମନ୍ଦିର ତାଲା ପଡି ରହିଥାଏ । ଯେମିତି ପ୍ରତ୍ୟେକ ମାସର ଥାଆନ୍ତି ଜଣେ ଜଣେ ଅଧିପତି, ଠିକ ସେଇଭଳି ମଳମାସର ଅଧିପତି ଅଟନ୍ତି ସ୍ୱୟଂ ଜଗନ୍ନାଥ ପୁରୁଷୋତ୍ତମ । ଏହି ମଳମାସ ସମୟରେ ପୂଜା ପାଇଥାନ୍ତି ବରାହ ଓ ପୁରୁଷୋତ୍ତମ । ଏହି ମନ୍ଦିର ଉଚ୍ଚତା ହେଉଛି ୧୧ଫୁଟରୁ ୧୨ଫୁଟ ମଧ୍ୟରେ । ମନ୍ଦିର ଭିତରେ ଥାଏ ଦୁଇଟି ମୂର୍ତ୍ତି । ଜଣେ ବରାହ ଏବଂ ଆଉ ଜଣେ ସ୍ୱୟଂ ନାରାୟଣ ପୁରୁଷୋତ୍ତମ । ନାରାୟଣ ପଦ୍ମଆସନରେ ବସିଥିବା ବେଳେ ଧରିଥାନ୍ତି ନିଜର ଆୟୁଧ । ହେଲେ ବରାହ ସରସ୍ୱତୀଙ୍କୁ କହୁଣୀରେ ଓ ଲକ୍ଷ୍ମୀଙ୍କୁ ହାତରେ ଧରି ଚାଲିବା ମୁଦ୍ରାରେ ରହିଥାନ୍ତି । ଯାହା ଗବେଷଣା ସାପେକ୍ଷ । ଆଜି ପର୍ଯ୍ୟନ୍ତ ବରାହଙ୍କ ଏଭଳି ମୁଦ୍ରା ର ରହସ୍ୟ ଜଣାପଡିନାହିଁ ।

ପୁରାଣ ପ୍ରସଙ୍ଗ ଅନୁସାରେ, ଭଗବାନ ବିଷ୍ଣୁ ବାରଟି ଭିନ୍ନ ଭିନ୍ନ ନାମରେ ବାରମାସର ଅଧିପତି ହୋଇଥାଆନ୍ତି। କିନ୍ତୁ ମଳମାସ ‘ତ୍ରୟୋଦଶ ମାସ’ ହୋଇଥିବାରୁ, ଏହାର କେହି ଅଧିପତି ନଥିଲେ। ସେଥିପାଇଁ ମଳମାସ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲା। ତାହାର ଦୁଃଖର କାରଣ ଶୁଣି ଭଗବାନ ବିଷ୍ଣୁ କହିଲେ, “ମୁଁ ଯେପରି ତ୍ରିଲୋକରେ ‘ପୁରୁଷୋତ୍ତମ’ ନାମରେ ପ୍ରସିଦ୍ଧ ଓ ପରିବ୍ୟାପ୍ତ, ସେହିପରି ଏହି ଅଧିମାସ ‘ପୁରୁଷୋତ୍ତମ ମାସ’ ରୂପେ ପ୍ରଖ୍ୟାତ ହେବ। ମୋର ସମସ୍ତଗୁଣ ମୁଁ ଏହି ମାସକୁ ପ୍ରଦାନ କଲି। ଏଣିକି ସଂସାରରେ ଓ ଶାସ୍ତ୍ରରେ ଏହି ମାସ ମୋ ନାମରେ ପରିଚିତ ହେବ।” ସେହିଦିନୁ ମଳମାସ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ ହେଲା।

ତେବେ ଶ୍ରୀମନ୍ଦିର ସହ ଅନେକ ଏମିତି କଥା ଜଡିତ ହୋଇ ରହିଥିବା ବେଳେ ୩୨ ମାସରେ ମାତ୍ର ଗୋଟିଏ ମାସ ପୂଜା ପାଉଥିବା ଏହି ବରାହ ପୁରୁଷୋତ୍ତମ ଓ ମଳ ନାରାୟଣଙ୍କ ବିଷୟରେ ଶୁଣିବା ଯେତିକି ଆଶ୍ଚର୍ଯ୍ୟକର ସେତିକି ଭିନ୍ନ ଅନୁଭବ ଆଣିଦେଇଥାଏ।

Leave a Reply

Your email address will not be published. Required fields are marked *